THE BYAPINI

ଅଜୟ ଦେବଗନଙ୍କ ‘ରେଡ୍’ ଫିଲ୍ମ ଭଳି ଅଭୟକାନ୍ତଙ୍କ କାହାଣୀ…

Get real time updates directly on you device, subscribe now.

ଅୟସଭରା ଜୀବନରୁ ଜେଲର ଅନ୍ଧାର । ଚାକଚକ୍ୟ ଚାଲିଚଳନରୁ ଜେଲର ଚଟାଣ । ଜଙ୍ଗଲୀ ବାବୁଙ୍କ ଜଙ୍ଗଲ ରାଜର ରାଜୁତି ଯେମିତି ମାଡି ମାଡି ଚାଲିଥିଲା, ସେମିତି ବି ତଳ ତଳକୁ ଖସି ଆସିଛି । ଦିନେ ଅୟସ ଆରାମରେ ଆଲିସାନ ହୋଟେଲରେ ଶୋଇ ହାଇ ମାରୁଥିବା ଅଭୟକାନ୍ତ ଆଜି ଭିଜିଲାନ୍ସର ହାବୁଡରେ ପଡି ସର୍ବସ୍ୱ ହରାଇଛନ୍ତି । ନା ଅଛି ଚାକଚକ୍ୟର ଜୀବନ ନା ଅଛି ଚାକିରି । ଆୟ ଠାରୁ ଅଧିକ ଠୁଳ କରିବା ତାଙ୍କ ପାଇଁ ମହଙ୍ଗା ହେବା ପରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଆଇଏଫଏସ ଅଫିସର ଅଭୟକାନ୍ତ । ଏଥିସହ ତାଙ୍କୁ ଗିରଫ ବି କରାଯାଇଛି । ଆଉ ଭିଜିଲାନ୍ସ ଜାଲରେ ପଡିଥିବା ଏହି ସରକାରୀ ବଡ ମାଛ ଜେଲରେ ଜୀବନ କାଟୁଛନ୍ତି ।

ଜଙ୍ଗଲ ଅଧିକାରୀ ଅଭୟକାନ୍ତ ଓ ତାଙ୍କ ଫୋରୱେଣ୍ଟି ପୁଅ ଆକାଶ ବି କଳା ସାମ୍ରାଜ୍ୟ ଲମ୍ବାଇବାରେ ବଡ ଭୁବମିକା ଗ୍ରହଣ କରିଥିଲେ । ଯାହାର ସୁରାକ ପାଇ ଘଣ୍ଟାଚକଟା କରିଥିଲା ଭିଜିଲାନ୍ସ । ଆଉ ଅଭୟ-ଆକାଶଙ୍କ ଅମାପ ସମ୍ପତ୍ତିର ହିସାବ ନିକାଶ ପାଠକ ବାପ-ପୁଅ ଦେଇ ନପାରିବା ପରେ ଦୁହିଁଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଆଉ ତାଙ୍କର ଜାମିନ ଖାରଜ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବାପ-ପୁଅଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ଆଉ ଦିନେ ହାତୀଦାନ୍ତରେ ତିଆରି ପଲଙ୍କରେ ସୌଖୀନ ନିଦରେ ଶୋଉଥିବା ବାପ-ପୁଅ ଜେଲର ଚଟାଣରେ ଶୋଇବେ ।

ତେବେ ୧୯୮୭ ବ୍ୟାଚର ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଅତିରିକ୍ତ ପିସିସିଏଫ ଦାୟିତ୍ୱରେ ଥିବା ବେଳେ ସରକାରୀ ସମ୍ପତ୍ତି ଉପରେ ଆଖି ପକାଇଥିଲେ । ଆଉ ସୁଯୋଗ ଦେଖି ଜୋରଦାର ଫାଇଦା ଉଠାଇଥିଲେ । ଜଙ୍ଗଲୀ ଅଫିସରଙ୍କ ପାହାଡ ପରି ସମ୍ପତ୍ତି ଥିବା ଗୁପ୍ତ ଖବର ନେଇ ଯେତେବେଳେ ଭିଜିଲାନ୍ସ ଟିମ୍ ଅଚାନକ ଚଢାଉ କରିଥିଲା ଠିକ୍ ସେତିକିବେଳେ ଅଭୟଙ୍କ ଅମାପ ସମ୍ପତ୍ତି, ଆଖି ପାଉନଥିବା ଭଳି ଟଙ୍କା, ଜାଗାବାଡି, ଦାମୀ ଗାଡି ଓ ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖି ଭିଜିଲାନ୍ସ ଟିମ୍ ଆଶ୍ଚର୍ୟ୍ୟ ହୋଇଯାଇଥିଲା । ଅଭୟଙ୍କ ପାଖରେ କେଉଁଠୁ ଆସିଲା ଏତେ ଟଙ୍କା, କେମିତି ହେଲେ କୁବେର ? ଘଣ୍ଟା ଘଣ୍ଟା ଧରି ଯାଞ୍ଚ କରିବା ପରେ ବି କଳିଯୁଗର କୁବେରଙ୍କ ଘରୁ ସମ୍ପତ୍ତିର ଆକଳନ କରି ପାରିଲାନି ଭିଜିଲାନ୍ସ । ଏମିତିକି ରେଡକୁ ୨ ଦିନ ଲାଗିଯାଇଥିଲେ ବି ଭିଜିଲାନ୍ସ ପାଖରେ ସଠିକ ସମ୍ପତ୍ତିର ତାଲିକା ଲାଗି ନଥିଲା । ପରେ ପୁଅ ଆକାଶ ପାଠକର ଲିଙ୍କକୁ ଖୋଳତାଡ କରିବା ପରେ ସାମ୍ନାକୁ ଆସିଥିଲା କଳା ଟଙ୍କାରେ ଗଢା କଳା ସାମ୍ରାଜ୍ୟର କଳା କାରନାମାର କାହାଣୀ ।

ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ହୋଇଥିବା ଏଭଳି ରେଡରେ ସାମ୍ନାକୁ ଆସିଥିବା ଚମକାଇ ଦେଲାଭଳି ଖବର । ୧୫୦ ଜଣ ଟିମ ଏହି ରେଡରେ ଲାଗିଥିବା ବେଳେ ଏବା ବଲିଉଡ ସିନେମା ରେଡର କାହାଣୀ ମନେପକାଇ ଦେଇଛି । ଅଜୟ ଦେବଗନ ଯେମିତି ଜଣେ କୋଟିପତି ନେତାଙ୍କ ଘରେ ରେଡ୍ କରି ନାକେଦମ କରିଥିଲେ ଠିକ୍ ସେମିତି ଅଭୟଙ୍କୁ ହରଡଘଣାରେ ପକାଇ ଝାଳନାଳ କରିଥିଲେ ଭିଜିଲାନ୍ସ ଅଫିସର ।

ତେବେ ଅଭୟଙ୍କ ଭୁବନେଶ୍ୱର ୯ ନମ୍ବର ବାସ ଭବନରେ ମର୍ସିଡିସ, ବିଏମଡବ୍ଲ୍ୟୁ, ଟାଟା ହାରିୟର, ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ଅଛି । ଏଥିସହ ଭୁବନେଶ୍ୱର, ମୁମ୍ବାଇ, ପୁଣେ, ଉଦୟପୁର ଆଦି ଜାଗାରେ ରେଡ କରିବା ସହ ୬୦ ଲକ୍ଷ ଟଙ୍କା କ୍ୟାସ । ୮୦୦ ଗ୍ରାମର ସୁନା ଅଳଙ୍କାର ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଥିବା କାଗଜପତ୍ର ଜବତ ହୋଇଥିଲା ।

ସବୁଠାରୁ ବଡ କଥା ହେଉଛି ଯେତେବେଳେ ଦେଶ କରୋନା ପାଇଁ ତାଲାବନ୍ଦର ବେଦନା ସହୁଥିଲା ଠିକ ସେତିକି ବେଳେ ଏ ବାପ-ପୁଅ ଲକଡାଉନକୁ ଉପଭୋଗ କରୁଥିଲେ । ପାଦରେ ଚାଲିଚାଲି ନୁହେଁ ବରଂ ଆକାଶରେ ଉଡି ଉଡି ସହରର ନିରବତା ଏନଜୟ କରୁଥିଲେ । ଚାର୍ଟାର୍ଡ ଫ୍ଲାଇଟରେ ଘଣ୍ଟାକୁ ୫ ଲକ୍ଷ ଟଙ୍କାର ଭଡା କରି ଧୁମ ବୁଲିଥିଲେ ବାପ-ପୁଅ । ଯାହା ଅଭୟକାନ୍ତ କେତେ ଧନୀ ତାହାର ସୂଚନା ଦେଇଥିଲା । ଖାଲି ଏତିକି ନୁହେଁ ଯେଉଁଠି ଅମ୍ବାନୀ ଭଳି ବଡ ବଡ ସେଲିବ୍ରିଟିଙ୍କ ବାହାଘର ହୁଅ ସେଠି ଆକାଶଙ୍କର ବାହାଘର ପାଇଁ ପ୍ରସ୍ତୁତି ହେଉଥିଲା । ତେବେ ଅସତ ପଥରେ ଚାକଚକ୍ୟର ସୌଖୀନ ଜୀବନ ଜିଉଁଥିବା ବାପା-ପୁଅ ଶେଷରେ ଜେଲର ଚାରି କାନ୍ଥରେ ଅଣନିଶ୍ୱାସୀର ଜୀବନ ବିତାଉଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.