ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ସାଜିବ ରୋଲମଡେଲ
୭୫ତମ ସ୍ୱାଧୀନତା ଦିବସ ପାଳୁଛି ପୂରା ଦେଶ । ଆଜି ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଭାରତର ଗଣତନ୍ତ୍ର ଭାରତର ସବୁଠୁ ବଡ ସଫଳତା । ଆମର ଗଣତନ୍ତ୍ର ହିଁ ଆମର ବିକାଶକୁ ଅଧିକ ସୁଗମ କରିବା ସହ ଦେଶକୁ ମଜବୁତ କରିଛି । ହକିରେ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ହାସଲ କରିଛି । ଯାହା ଦେଶର ଗୌରବକୁ ବଢାଇଛି । ଓଡ଼ିଶାର ଭାରତୀୟ ହକି ଦଳର ପ୍ରାୟୋଜକ ହେବା ସହ ଲକ୍ଷ୍ୟ ରଖିଥିଲା କିଭଳି ହକିକୁ ପୁଣିଥରେ ଦେଶରେ ଲୋକପ୍ରିୟ କରିବା, ଟିମକୁ ଶ୍ରେଷ୍ଠ ଭାବେ ଗଢିତୋଳିବା । ଆଉ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଆମ ଖେଳାଳି । ହକି ଖେଳାଳିଙ୍କ ପାଇଁ ଓଡ଼ିଶା ଗର୍ବିତ ।
ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ବଡ ଘୋଷଣା କରିଛନ୍ତି ନବୀନ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଆଣିବାକୁ ଘୋଷଣା କରିଛନ୍ତି ନବୀନ । ଯେଉଁଥିରେ ୯୬ ଲକ୍ଷ ପରିବାରକୁ ସ୍ମାର୍ଟ ହେଲଥ କାର୍ଡ ଦିଆଯିବ ଓ ସାଢେ ୩ କୋଟି ଲୋକ ଏହି ଯୋଜନାରେ ଚିକିତ୍ସା ସୁବିଧା ପାଇବେ । ପ୍ରତି ପରିବାର ପାଇଁ ୫ ଲକ୍ଷ, ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ରାଜ୍ୟ ତଥା ଦେଶର ୨୦୦ରୁ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ପାଇପାରିବେ ଲୋକେ । ସାରା ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ନୂଆ ଇତିହାସ ସୃଷ୍ଟି କରିବ ଏଭଳି ସ୍ମାର୍ଟ ହେଲଥ କାର୍ଡ ଯୋଗାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ସାମ୍ନାକୁ ଆସିବ । ସ୍ୱାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ । ଏହାସହ ରାଜ୍ୟ ସରକାରଙ୍କ ମାଗଣା କୋଭିଡ ଚିକିତ୍ସା ବ୍ୟବସ୍ଥା ପାଇଁ ଓଡ଼ିଶା ଭଲ ସ୍ଥିତିରେ ଅଛି । ଓଡ଼ିଶା ମଡେଲକୁ ପୂରା ଦେଶ ଆପଣାଇଛି । କରୋନା କାଳରେ ୨ ମାସ ଧରି ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇଥିଲୁ, ଅନେକ ଜୀବନ ବଞ୍ଚାଇଥିଲୁ । ସାରା ଓଡ଼ିଶା ମୋ ପରିବାର, ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ନବୀନ ।
ଏହାବ୍ୟତୀତ ଶିକ୍ଷା କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ହୋଇଛି । ୫ଟି କାର୍ୟ୍ୟକ୍ରମରେ ୧୦୭୨ ସ୍କୁଲର ରୂପାନ୍ତର କରାଯାଉଛି । ମୋ ସ୍କୁଲ କାର୍ୟ୍ୟକ୍ରମ ଲୋକପ୍ରିୟ ହୋଇଛି, ୫ ଲକ୍ଷରୁ ଅଧିକ ଆଲୁମିନା ସ୍କୁଲର ବିକାଶ ପାଇଁ ଆଗେଇ ଆସିଛନ୍ତି । ସବୁ କ୍ଷେତ୍ରରେ ଓଡ଼ିଶା ବିକାଶର ନୂଆ ନୂଆ ମାଇଲଷ୍ଟୋନ ହାସଲ କରିଛି । ଆଗକୁ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ନିଜର ପରିଚୟକୁ ଆହୁରି ଉଜ୍ଜଳ କରିପାରିବ ।