ବିନା ଭକ୍ତରେ ରୁକୁଣା ରଥଯାତ୍ରା!
ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ହେଲେ ମହାମାରୀ ପାଇଁ ମନପୁରାଇ ଶ୍ରୀଲିଙ୍ଗରାଜଙ୍କୁ ଦେଖିପାରିବେନି ଭକ୍ତ । ଚଳିତ ବର୍ଷ ବି ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ।ବିଡିଏ ଅଫିସରେ ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ କେମିତି ରୁକୁଣା ରଥ ଯାତ୍ରା କରାଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି । କୋଭିଡ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା କରିବାକୁ ବୈଠକରେ ଆଲୋଚନା ହୋଇଛି ।
ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ ।ସଂକ୍ରମଣ ବଢ଼ୁଥିବା ବେଳେ ପରମ୍ପରା ରକ୍ଷା କରି କିପରି ଯାତ୍ରା ହୋଇ ପାରିବ ସେ ନେଇ ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନିଷ୍ପତ୍ତି ଅନୁସାରେ ଅଳ୍ପ ସଂଖ୍ୟକ ସେବାୟତ ରଥ ଉପରେ ରହିବେ । କମରୁ କମ ସଂଖ୍ୟକ ଲୋକେ ରୁକୁଣା ରଥ ଟାଣିବେ ସେ ନେଇ ଆଲୋଚନା ହୋଇଛି । କେବଳ ପୋଲିସ ଓ ସେବାୟତ ହିଁ ରଥ ଟାଣିପାରିବେ । ତେବେ ବାହାରୁ ଛିଡ଼ା ହୋଇ ଭକ୍ତମାନେ ରୁକୁଣା ରଥଟଣାର ଦୃଶ୍ୟ ଉପଭୋଗ କରିପାରିବେ । କିନ୍ତୁ ରଥ କଡ଼ର୍ନ ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଛି ।
କୋଭିଡ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା କରିବାକୁ ବୈଠକରେ ଆଲୋଚନା ହୋଇଛି । ଏହି ପ୍ରସ୍ତାବକୁ ସରକାରଙ୍କ ପାଖକୁ ପଠାଯିବ, ସରକାର ଅନୁମତି ଦିଅନ୍ତି, ତେବେ ଚଳିତ ବର୍ଷ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହେବ । ସେପଟେ ଲିଙ୍ଗରାଜ ମନ୍ଦିର ନିକଟରେ ରଥ କାର୍ୟ୍ୟ ଆଗେଇ ଚାଲିଛି । ଚକ ଓ ଅଖ ନିର୍ମାଣ କାର୍ୟ୍ୟ ମୁଖ୍ୟତଃ ଶେଷ ହୋଇଯାଇଛି ।