କାହା ଘରୁ ମିିଳିଛି କେତେ ଟଙ୍କା…କିଏ ରହିଛି ଟପରେ ?
ଘରେ ଲୁଚାଇ ରଖିଥିଲେ ପୁଳା ପୁଳା ଟଙ୍କା, ଧରିଲା ଭିଜିଲାନ୍ସ । ଆଇଟିଡ଼ିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢଉ ଜାରି ରହିଥିବା ବେଳେ ୨ହଜାର ଟଙ୍କିଆ ରୁପା ନୋଟ ଜବତ ହୋଇଛି । ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ସନ୍ତୋଷଙ୍କ ବିଭିନ୍ନ ଠିକଣାରୁ ଏପର୍ୟ୍ୟନ୍ତ ଠାବ ହେଲାଣି ନଗଦ ୪୧ ଲକ୍ଷରୁ ଅଧିକ ଟଙ୍କା ।ଗୁରୁବାର ଭିଜିଲାନ୍ସ ସନ୍ତୋଷଙ୍କ ଘରେ ଚଢାଉ କରିଥିବା ବେଳେ ଏବେ ସୁଦ୍ଧା ମୋଟ ୪୧.୭୭ ଲକ୍ଷ ନଗଦ ଟଙ୍କା ମିଳିଛି ।
ଓଡ଼ିଶାରେ ଗତ କିଛି ଦିନ ଭିତରେ ଭିଜିଲାନ୍ସ ରେଡରେ ଅଧିକ ଟଙ୍କା ଜବତ ହୋଇଥିବା ମାମଲାରେ ଟପରେ ରହିଛନ୍ତି ସନ୍ତୋଷ କୁମାର ଦାସ । ଭିଜିଲାନ୍ସ ପକ୍ଷରୁ କାହାଘରୁ କେତେ ଟଙ୍କା ମିଳିଛି ଏକ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ନମ୍ବର ୧ରେ ସନ୍ତୋଷ ଥିବା ବେଳେ ତାଲିକାରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ଟପ୍-୨ରେ ରହିଛନ୍ତି ।ପ୍ରତାପଙ୍କ ଘରୁ ଭିଜିଲାନ୍ସ ନଗଦ ୩୮,୧୨, ୯୦୦ ଟଙ୍କା ଜବତ କରିଥିଲା । ଆଉ ଭିଜିଲାନ୍ସ ଦ୍ୱାରା ସର୍ବାଧିକ ନଗଦ ଟଙ୍କା ଜବତ ତାଲିକାରେ ନରୋତ୍ତମ ତୃତୀୟ ସ୍ଥାନରେ ରହିଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ସମୟରେ ବାଲେଶ୍ୱରରେ ତାଙ୍କ ଘରୁ ୧୬ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରାଯାଇଥିଲା ।
ସେହିଭଳି ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ଭବାନୀପାଟଣାର ସ୍ପେଶାଲ ପିପି ଆଶୁତୋଷ ମିଶ୍ର । ଜୁଲାଇ ମାସରେ ହୋଇଥିବା ଚଢାଉରେ ଆଶୁତୋଷଙ୍କ ଘରୁ ୧୫ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଦ୍ୱାରା ଜବତ କରାଯାଇଥିବା ଅଧିକ ଟଙ୍କା ତାଲିକାର ଟପ୍-୫ ନମ୍ବର ସ୍ଥାନରେ ବାଲିଗୁଡା ପିଏ ଆଇଟିଡିଏର ମୁଖ୍ୟ କିରାଣୀ ବସନ୍ତ ପାଣି ରହିଛନ୍ତି । ବସନ୍ତଙ୍କ ଘରୁ ଭିଜିଲାନ୍ସ ନଗଦ ୧୩ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସେହିଭଳି ବହୁ ଚର୍ଚ୍ଚିତ ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରି ନଗଦ ୧୨ ଲକ୍ଷ ୪୬ ହଜାର ଟଙ୍କା ଜବତ କରିଥିଲା । ଆଉ ଏହି ତାଲିକାରେ ବିରଞ୍ଚି ଟପ୍-୬ରେ ରହିଛନ୍ତି । ଟପ୍-୭ରେ ବୈତରଣୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ରହିଛନ୍ତି । ବିଧାନଙ୍କ ଘରେ ଚଢାଉ କରିବା ସହ ଭିଜିଲାନ୍ସ ନଗଦ ୧୦ ଲକ୍ଷ ୭ ହଜାରରୁ ଅଧିକ ଟଙ୍କା ଜବତ କରିଥିଲା ।