ତୋର ମୋର ଯୋଡ଼ି ସୁନ୍ଦର..ବିବାହ ବନ୍ଧନରେ ବାନ୍ଧି ହେଲେ ସବ୍ୟ-ଅର୍ଚ୍ଚିତା
ରିଲ ଲାଇଫରୁ ରିୟଲ ଲାଇଫ । ଫିଲ୍ମରେ ନୁହେଁ ପ୍ରକୃତ ଜୀବନରେ ସାତ ଜନ୍ମପାଇଁ ପରସ୍ପରର ସାଥୀ ହୋଇଛନ୍ତି ।ଦୀର୍ଘ ଦିନର ପ୍ରେମ ସଂପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍ର ଚର୍ଚ୍ଚିତ ଯୋଡି ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ରାଜସ୍ଥାନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି ।
ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସାତ ଜନମର ସାଥୀ ହୋଇଛନ୍ତି ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଅର୍ଚ୍ଚିତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନ୍ମର ସାଥୀ କରିଛନ୍ତି ସବ୍ୟସାଚୀ ମିଶ୍ର। ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ତାଙ୍କ ସୋସିଆଲ ମିଡିଆ ପେଜ୍ରେ କିଛି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ସବ୍ୟସାଚୀ ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’ ଅର୍ଚ୍ଚିତା ମଧ୍ୟ ସମାନ କଥା ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’ ପରିବାର ସଦସ୍ୟ ଓ ହାତଗଣତି ଘନିଷ୍ଠ କିଛି ବନ୍ଧୁଙ୍କ ଗହଣରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।
ସବ୍ୟ-ଅର୍ଚ୍ଚିତାଙ୍କ ପ୍ରେମ ସଂପର୍କକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା ।ଅଭିନେତା ସବ୍ୟସାଚୀ ୨୦୦୭ରୁ ‘ପାଗଳପ୍ରେମୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍ରେ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ରେ ‘ଓ ମାଇଁ ଲଭ୍’ରେ ପ୍ରଥମଥର ଅଭିନୟ କରିବାର ସୁଯୋଗ ପାଇଥିଲେ । ଦୁହିଁଙ୍କ ମଧ୍ୟରେ ‘ସପନର ସୌଦାଗର’ ଚଳଚ୍ଚିତ୍ରରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ତେବେ ଉଭୟଙ୍କ ବିବାହକୁ ନେଇ ଓଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ନିକଟରୁ ଛୁଟିଛି ଶୁଭେଚ୍ଛାର ସୁଅ । ଏବେ ଦୁହେଁ ପରସ୍ପରକୁ କହିଛନ୍ତି ‘ମୁଁ ଏକା ତୁମର’ ।