ଜୁନ ୩୦ ସୁଦ୍ଧା ମାଟ୍ରିକ ଫଳ
ଜୁନ ୩୦ ତାରିଖ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳାଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ନେଇ ପଦ୍ଧତି ଚୂଡ଼ାନ୍ତ ହୋଇଛି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନକୁ ନେଇ ପରୀକ୍ଷା ଫଳ ପ୍ରକାଶ କରାଯିବ । ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାର କରାଯାଇ ଦଶମ ଫଳ ବାହାରିବ ।
ସେହିପରି ଦଶମ ଶ୍ରେଣୀର ୨ୟ, ୩ୟ ଓ ୪ର୍ଥ ଅଭ୍ୟାସ ପରୀକ୍ଷାର ଫଳକୁ ବିଚାରକୁ ନିଆଯିବ । ଦଶମ ଶ୍ରେଣୀର ୩ଟି ଅଭ୍ୟାସ ପରୀକ୍ଷାର ୨ଟି ସର୍ବୋଚ୍ଚ ମାର୍କକୁ ବିଚାରକୁ ନିଆଯିବ । ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କର ୪୦ ପ୍ରତିଶତ ଗୁରୁତ୍ୱ ଦିଆଯିବ ।
ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ କରୋନା ଭାଇରସ ମହାମାରୀ କାୟା ବିସ୍ତାର କରିଛି । କରୋନା ଭାଇରସ ଲାଗି ଶିକ୍ଷା ବର୍ଷ ୨୦୨୦-୨୧ରେ ଶିକ୍ଷାଦାନ ବ୍ୟବସ୍ଥାରେ ବ୍ୟାପକ ପ୍ରଭାବିତ ହୋଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ବର୍ଷର ଅଧିକ ସମୟ ଧରି ଅନ୍ଲାଇନ୍ରେ କ୍ଲାସ କରାଯାଇଥିଲା । ଜାନୁଆରି ପ୍ରଥମ ସପ୍ତାହ ପରେ ପ୍ରାୟ ୩ ମାସ ଯାଏଁ ନବମ ଓ ଦଶମ ଶ୍ରେଣୀର କ୍ଲାସ ଅଫଲାଇନ୍ରେ ହୋଇଥିଲା । ୧୦୦ ଦିନର କ୍ଲାସ ପରେ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଶେଷ ପର୍ୟ୍ୟାୟରେ କରୋନାର ୨ୟ ଲହର ଦାଉ ସାଜିଥିଲା । ଶେଷରେ ସରକାର ବାଧ୍ୟ ହୋଇ ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ।