ଆଜି ରେଜଲ୍ଟ ,ଏଯାଏ ମିଳିନି ରୋଲ ନମ୍ବର
ଛାତ୍ର ଜୀବନର ସବୁଠୁ ବଡ଼ ପରୀକ୍ଷା ହେଉଛି ମାଟ୍ରିକ ବୋର୍ଡ ପରୀକ୍ଷା । ଭବିଷ୍ୟତକୁ ବାଟ ଦେଖାଇବାର ପ୍ରଥମ ପାହାଚ ହେଉଛି ମାଟ୍ରିକ ରେଜଲ୍ଟ । ହେଲେ ଚଳିତ ଥର ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ବାହାରିବ ଦଶମ ପରୀକ୍ଷା ଫଳ । କିନ୍ତୁ ବିଡମ୍ବନାର ବିଷୟ ହେଉଛି,ଆଜି ରେଜଲ୍ଟ ବାହାରିବ, କିନ୍ତୁ ଏଯାଏ ପିଲା ତାଙ୍କ ରୋଲ ନମ୍ବର ଜାଣିନାହାନ୍ତି । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ।
ଚଳିତ ବର୍ଷର ଦଶମ ବୋର୍ଡ ପରୀକ୍ଷା ସବୁ ବର୍ଷଠୁ ଭିନ୍ନ । ହୁଏତ ଆଗରୁ କେବେ ଏଭଳି ହୋଇନଥିବ । କାରଣ ଏଇ ବର୍ଷ ବିନା ପରୀକ୍ଷାରେ ବାହାରିବ ପରୀକ୍ଷା ଫଳ । ମହାମାରୀ କରୋନା ପାଇଁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ସରକାର ବାତିଲ କରିଦେଇଥିଲେ । ରାଜ୍ୟରେ ସଂକ୍ରମଣ ଉପରମୁହାଁ ଥିବା ବେଳେ ଛାତ୍ରଛାତ୍ର୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିଥିଲେ ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ ମଧ୍ୟ କରାଯାଇଥିଲା । ହେଲେ , ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ କାଲି ବାହାରିବ । ଅପରାହ୍ନ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏବଂ ସନ୍ଧ୍ୟା ୬ରେ ୱେବସାଇଟରେ ରୋଲ ନମ୍ବର ମାଧ୍ୟରେ ଛାତ୍ରଛାତ୍ରୀ ନିଜ ରେଜଲ୍ଟ ଦେଖିପାରିବେ । ଏପରିକି ଇଂଟରନେଟ ସୁବିଧା ନଥିଲେ ମୋବାଇଲରେ ରୋଲ ନମ୍ବର ଏସଏମଏସ କଲେ ପରୀକ୍ଷା ଫଳ ଜାଣିହେବ । କିନ୍ତୁ, ଛାତ୍ରଛାତ୍ରୀମାନେ ରୋଲ ନମ୍ବର କେଉଁଠି ପାଇବେ ତାହା କୁହାଯାଇନାହିଁ । ଏବର୍ଷ ଫର୍ମଫିଲଫ ହୋଇନଥିବାରୁ ଆଡମିଟ କାର୍ଡ ମଧ୍ୟ ମିଳିନାହିଁ । ତେଣୁ ଛାତ୍ରଛାତ୍ରୀଙ୍କ ପାଖରେ ରୋଲ ନମ୍ବର ନଥିବାରୁ କେମିତି ପରୀକ୍ଷା ଫଳ ଜାଣିବେ ତାକୁ ନେଇ ସନ୍ଦେହରେ ।
ସ୍କୁଲ କତୃପକ୍ଷ ମାନଙ୍କୁ ଦଶମ ଛାତ୍ରଛାତ୍ରୀଙ୍କ ରୋଲ ନମ୍ବର ତିଆରି କରିବାକୁ କୁହାଯାଇଥିଲା । କିନ୍ତୁ ଏଯାଏ ରୋଲ ନମ୍ବର ଛାତ୍ରଛାତ୍ରୀ ଜାଣିନାହାନ୍ତି । ଆଜି ରୋଲ ନମ୍ବର ପାଇଁ ସ୍କୁଲ ସାମନାରେ ପିଲାଙ୍କ ଭିଡ ଦେଖିବାକୁ ମିଳିପାରେ । କରୋନା ସଂକ୍ରମଣ ସମୟରେ ରୋଲ ନମ୍ବର ପାଇଁ ଛାତ୍ରଛାତ୍ରୀଙ୍କ ସ୍କୁଲରେ ଭିଡ ଲଗାଇବା କେତେଦୂର ଠିକ? ଯେଉଁଠି ମୋବାଇଲରେ ଏସଏମଏସ ମାଧ୍ୟମରେ ଓ ୱେବସାଇଟରେ ରେଜଲ୍ଟ ବାହାରିବା ନେଇ ସୁବିଧା କରାଯାଇପାରିଲା । ସେଠି କଣ ଚାହିଁଥିଲେ ଗୋଟିଏ ଏସଏମଏସ ମାଧ୍ୟମରେ ସ୍କୁଲ ତରଫରୁ ଛାତ୍ରଛାତ୍ରୀଙ୍କୁ ତାଙ୍କ ରୋଲ ନମ୍ବର ମିଳିପାରିନଥାନ୍ତି କି? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।