ଜାନୁଆରୀ ୮ ପରେ ମାଟ୍ରିକ ପିଲାଙ୍କୁ କରୋନା ଟିକା
ଜାନୁଆରୀ ୮ ପରେ କରୋନା ଟିକା ନେବେ ମାଟ୍ରିକ ପିଲା । ସମ୍ମେଟିଭ୍-୧ ପରୀକ୍ଷା ପାଇଁ ନିଆଗଲା ବଡ ନିଷ୍ପତ୍ତି । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା କାଲିଠାରୁ ସାରା ଦେଶରେ ୧୫ରୁ ୧୮ ବର୍ଷୀୟ ପିଲାଙ୍କ ଟିକାକରଣ ଆରମ୍ଭ ହେଉଥିବାବେଳେ, ଓଡିଶାରେ କିନ୍ତୁ ମାଟ୍ରିକ ପିଲା ୮ ତାରିଖ ପରେ ଟିକା ନେବେ ।
ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବାକୁ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ୮ ତାରିଖ ପରେ ମାଟ୍ରିକ ପିଲାଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ତା ସହିତ ପ୍ରଥମେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଟିକାକରଣ କରାଯିବ ବୋଲି ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।
ଆସନ୍ତାକାଲିଠୁ ସାରା ଦେଶରେ ୧୫ ବର୍ଷରୁ ୧୮ ବର୍ଷର ପିଲାଙ୍କର ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଦିନକରେ ୩ଲକ୍ଷ ୧୫ହଜାର ୪୧୬ଜଣ ପିଲା ଟିକା ନେବା ପାଇଁ ପଞ୍ଜୀକରଣ କରିଛନ୍ତି । ୧୫ରୁ ୧୮ ବର୍ଷ ବୟସ୍କ ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ କେନ୍ଦ୍ରରେ ଟିକା ନେଇପାରିବେ । କୋୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିପାରିବେ । ଏହା ଛଡା ‘ଅନ୍ ଦ ସ୍ପଟ୍’ ଟିକାକରଣର ବ୍ୟବସ୍ଥା ମଧ୍ୟ ହୋଇଛି । ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେ ନାହିଁ ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ସ୍କୁଲ ଓ କଲେଜର ପରିଚୟପତ୍ର ଦେଖାଇ ଟିକା ନେଇପାରିବେ ।