ବଦଳିବ ନବୀନଙ୍କ କ୍ୟାବିନେଟ ! ବାଦ୍ ପଡିବେ…
ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଏକ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି । ବିଧାନସଭାର ଶୀତ ଅଧିବେଶନ ସରିବା ପରେ ନବୀନ ନିଜ ପଂଚମ ପାଳିର ମନ୍ତ୍ରୀମଣ୍ଡଳରେ ପ୍ରଥମ ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ପାୱାର କରିଡରରେ ଘୁରି ବୁଲୁଛି । ନବୀନ କାହା ଉପରେ ବିଶ୍ୱାସ ରଖିବେ ଆଉ କାହା ଉପରେ ବିଶ୍ୱାସ ହରାଇ ବସିଛନ୍ତି ତାକୁ ନେଇ ଆରମ୍ଭ ହୋଇ ସାରିଛି ଆକଳନ । ଏପରିକି କିଛୀ ନୂଆ ନେତା ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଗୋଟି ଚାଳନା ଆରମ୍ଭ କରିଥିବା ଜଣାପଡିଛି ।
ଅଦଳବଦଳ ପଛରେ ଦୁଇ ତିନୋଟି ମୁଖ୍ୟ ଦିଗ ରହିଛି । ଖାସ୍ କରି ଆଗକୁ ସହର ଆଉ ପଂଚାୟତ ଭୋଟ ଅସୁଥିବାରୁ ଅଭିଜ୍ଞ ତଥା ସାଂଗଠନିକ ଦକ୍ଷତା ରଖୁଥିବା ନେତାଙ୍କୁ ଦାୟିତ୍ୱ ଦେବାକୁ ନବୀନ ମନସ୍ଥ କରିଥିବା ଜଣାପଡିଛି । ସେହିପରି ଦୁଇ ଦୁଇଟି ଉପ ନିର୍ବାଚନରେ ଦାୟିତ୍ୱ ନେଇ ସଫଳତା ଆଣିଥିବା ନେତାଙ୍କୁ ଥଇଥାନ କରିବାକୁ ନବୀନ ଚିନ୍ତା କରୁଥିବା ଜଣାପଡୁଛି । ବିଜେପୁର ଉପ-ନିର୍ବାଚନ ପରେ ନବୀନ ସମାନ ଢଙ୍ଗରେ ଦଳ ପାଇଁ ସଫଳତା ଆଣିଥିବା ନେତାଙ୍କୁ ପୁରଷ୍କୃତ କରିଥିଲେ । ଆଉ ଶେଷରେ କିଛି ନେତା ବିବାଦୀୟ ହୋଇଥିବାରୁ ଏବଂ କିଛି ନେତାଙ୍କ ପ୍ରଦର୍ଶନ ନିରୁତ୍ସାହଜନକ ଥିବାରୁ ନବୀନ ସେମାନଙ୍କୁ ବାଦ ଦେବାକୁ ଚିନ୍ତା କରୁଥାଇ ପାରନ୍ତି । କିଛି ଏଭଳି ଆଧାରରେ ନବୀନ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହୁଛି ।
ତେବେ ମନ୍ତ୍ରୀ ମଣ୍ଡଳରେ କାହାକୁ ସାମିଲ କରାଯିବ ଆଉ କାହାକୁ ବାଦ୍ ଦିଆଯିବ, ସେକଥା ସ୍ପଷ୍ଟ ହୋଇନଥିବା ବେଳେ ମନ୍ତ୍ରୀପଡା ଅର୍ଥାତ୍ କେନ୍ଦ୍ରାପଡାର ଭାଗିଦାରୀ ଏଥର ମନ୍ତ୍ରୀମଣ୍ଡଳରେ ନିହାତି ରହିବ । ସେହିଭଳି ଉପକୂଳ ଓଡିଶାରୁ କିଛି ମନ୍ତ୍ରୀ (ନୂଆ)ଙ୍କୁ ନବୀନ ବାଦ ଦେଇପାରନ୍ତି । ଏହାପଛରେ ସେମାନଙ୍କ ବ୍ୟକ୍ତିଗତ ବିବାଦ ଆଉ ପ୍ରଦର୍ଶନ କାରଣ ବୋଲି ଅନୁମାନ କରାଯାଉଛି । ପ୍ରଦର୍ଶନ ଆଧାରରେ ଉତ୍ତର, ଦକ୍ଷିଣ ଓଡିଶାର କିଛି ମନ୍ତ୍ରୀଙ୍କୁ ନବୀନ ବାଦ୍ ଦେବା ଏକପ୍ରକାର ଚୁଡାନ୍ତ ।
ଏଥର ଅଦଳବଦଳରେ ଅଭିଜ୍ଞ ନେତାଙ୍କୁ ନବୀନ କ୍ୟାବିନେଟକୁ ଆଣିବେ । କାରଣ ପଶ୍ଚିମବଙ୍ଗ ନିର୍ବାଚନ ପରେ କେନ୍ଦ୍ର ବିଜେପିର ଫୋକସକୁ ଓଡିଶା ଆସିବ । ଆଉ ସେହି ସମୟରେ ଯେଉଁ ରାଜନୈତିକ ଆକ୍ରମଣ ହେବ, ସେଥିରୁ ସୁରକ୍ଷା ପାଇଁ ରାଜନୀତିରେ ମାହିର ନେତାଙ୍କ ଆବଶ୍ୟକତାକୁ ଦଳ ଅନୁଭବ କରିବ । ତେଣୁ ଏଥର ଏକ ଅଭିଜ୍ଞ କ୍ୟାବିନେଟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଏଥରର ମନ୍ତ୍ରୀମଣ୍ଡଳ ସାମ୍ନାରେ ଅନେକ ଆହ୍ୱାନ ରହିବ, କାରଣ ନିର୍ବାଚନ ପାଖେଇବା ସହ ରାଜନୈତିକ ତିକ୍ତତା ବଢିବ । ତେଣୁ କାହାକୁ ସାମିଲ କରି କାହାକୁ ବାଦ୍ ଦିଆଯିବ, ସେନେଇ ମାନଓ ମନ୍ଥନ ଆରମ୍ଭ ହୋଇସାରିଛି ।
ତେବେ ଯେଉଁ ଦିଗଟି ପ୍ରତି ସମସ୍ତଙ୍କର ନଜର ରହିଛି ତାହା ହେଲା, ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀମଣ୍ଡଳକୁ ଆସୁଛନ୍ତି ନା ବାହାରେ ରହି ଦଳ ତଥା ସରକାର ପାଇଁ କାମ କରିବାକୁ ଚିନ୍ତା କରୁଛନ୍ତି ।