ନିଖୋଜ ଛାତ୍ରଙ୍କ ଏଯାଏ ପତ୍ତା ମିଳୁନି
ଡ୍ରେନ୍ ପାଣିରେ ଭାସି ନିଖୋଜ ଥିବା ଶିରିପୁର ଶତାବ୍ଦୀ ନଗରର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରିନି। ୧୮ ଘଣ୍ଟା ଧରି ରେସ୍କ୍ୟୁ ଟିମ୍ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।
ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ବରମୁଣ୍ଡା ଢିପସାହିର ହୃଷୀକେଶ ବେହେରାଙ୍କ ପୁଅ ରାଜା ଟ୍ୟୁସନ୍ ଯିବା ପାଇଁ ସାଇକେଲ ଧରି ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲା । ମାତ୍ର କେଇ ମିନିଟ୍ ପୂର୍ବରୁ ବର୍ଷା ଛାଡ଼ିଥିବାରୁ ରାସ୍ତାଘାଟ ବୁଡ଼ି ରହିଥିଲା। ଡ୍ରେନ୍ ଓ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା । ଫଳରେ ରାଜା ବାଟ ଜାଣିନପାରି ଡ୍ରେନ୍ ଭିତରକୁ ପଶି ଯାଇଥିଲା । ପ୍ରଖର ସ୍ରୋତରେ ରାଜା ବୁଡ଼ି ଯାଇଥିଲା ଓ ଭାସି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପ୍ରାୟ ୧୦ କିମି ଦୈର୍ଘ୍ୟର ଡ୍ରେନ୍ରେ ପଶି ୮ଘଣ୍ଟା କାଳ ଖୋଜାଖୋଜି କରିଥିଲେ ବି ରାଜାର ପତ୍ତା ମିଳିନଥିଲା । ଆଜି ସକାଳ ୬ଟାରୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଛି ।
ଆଜି ସକାଳୁ ପଞ୍ଚସଖା ନଗରରେ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରସେନ ଜାରି ରହିଛି । ଯେହେତୁ ପଞ୍ଚସଖା ନଗରରେ ଦୁଇଟି ନାଳ ଗୋଟିଏ ସ୍ଥାନରେ ମିଶିଛି । ତେଣୁ ଏହି ସ୍ଥାନକୁ ସନ୍ଦେହରେ ରଖି ସର୍ଚ୍ଚ ଅପରେସନ ଚଳାଇଛି ଟିମ୍ ।