THE BYAPINI

ମୋ ସେବା କେନ୍ଦ୍ର: ଏବେଠୁ ନିର୍ବାଚନୀ ଥୋପ?

Get real time updates directly on you device, subscribe now.

ଏଣିକି ହାତ ପାହାନ୍ତାରେ ପାଇହେବ ସରକାରୀ ସୁବିଧା । ଆଉ ଦୌଡିବାକୁ ପଡିବନି ତହସିଲ ଅଫିସ କି ବାରମ୍ବାର ହେବାକୁ ହେବନି ଦଲାଲଙ୍କ ଶିକାର । ଏବେ ସବୁ ସରକାରୀ କାର୍ୟ୍ୟ ଘର ପାଖରେ କରିହେବ । ଗାଁରେ ବସି ପାଇହେବ ସବୁ ସୁବିଧା । ସାଧାରଣ ଲୋକଙ୍କୁ ‘ମୋ ସେବା କେନ୍ଦ୍ର’ ଯୋଗାଇଦେବ ସବୁ ସୁବିଧା । ଲୋକଙ୍କ ସେବାରେ ‘ମୋ ସେବା କେନ୍ଦ୍ର’କୁ ସମର୍ପି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ତଥା ଲୋକସେବା ଦିବସରେ ଲୋକଙ୍କ ପାଇଁ ଲୋକାର୍ପିତ ହୋଇଛି ୩୦୦୦ ‘ମୋ ସେବା କେନ୍ଦ୍ର’ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏସବୁ କେନ୍ଦ୍ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ଆଉ ସେହି ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇବା ସରକାରର ଲକ୍ଷ୍ୟ ।

ତେବେ ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର । ଏହାଦ୍ୱାରା ଅନେକ ଯୁବକଯୁବତୀ ମଧ୍ୟ ଆତ୍ମନିଯୁକ୍ତି ପାଇବେ । ପାଖାପାଖି ୮୦୦୦ ଯୁବକ ଯୁବତୀଙ୍କୁ ଏହି ସବୁ ସେବା କେନ୍ଦ୍ରରେ ନିଯୁକ୍ତି ଦିଆଯିବ । ଯାହା ଫଳରେ ବଢି ଚାଲିଥିବା ବେକାରୀ ସମସ୍ୟାରେ ବ୍ରେକ ଲଗାଇବାରେ ସରକାର କିଛି ମାତ୍ରାରେ ସଫଳ ହେବେ । ଆଉ ବିରୋଧୀଙ୍କୁ ମୁହଁରେ ସାମାନ୍ୟତମ ତୁଣ୍ଡି ବାନ୍ଧିବାରେ ସରକାର ସକ୍ଷମ ହେବେ ।

ସେପଟେ ବିଜୁଙ୍କ ସ୍ୱପ୍ନକୁ ସତ କରିଚାଲିଥିବା ନବୀନ ଏବେ ଗାଁକୁ ଗୁରୁତ୍ୱ ଦେଉଛନ୍ତି । ଯଦିଓ ପୂର୍ବରୁ ଗ୍ରାମାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି ମାତ୍ର ଏଥର ଲୋକସେବା ଦିବସରେ ପଞ୍ଚାୟତକୁ ପୂରା ଫୋକସ କରିଛନ୍ତି ନବୀନ । ବିଜୁ ବାବୁ ସବୁବେଳେ ଚାହୁଁଥିଲେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଗାଁରେ ପହଞ୍ଚୁ । ସାଧାରଣ ଲୋକଟିଏ ବିଜ୍ଞାନର ସୁଫଳତା ପାଉ ଆଉ ଏହାକୁ ସ୍ମରଣକରି ପୁଅ ନବୀନ ବାପାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ମୋ ସେବା କେନ୍ଦ୍ରକୁ ଗ୍ରାମାଞ୍ଚଳ ସ୍ତରରେ ସମର୍ପିତ କରିଛନ୍ତି । ଯେଉଁଥିରୁ ଲାଭବାନ ହୋଇପାରିବେ ସାଧାରଣ ଲୋକ ।
ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରି ଚମକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୁହାଯାଉଛି ଏହା ନବୀନଙ୍କ ନିର୍ବାଚନୀ ଥୋପ । ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା ଆଗରୁ ଭୋଟରଙ୍କୁ କବଜା କରିବାକୁ ବିଜେଡି ସରକାରୀ କାର୍ୟ୍ୟକ୍ରମ ଓ ଯୋଜନାକୁ ଜାଲ କରି ବିଛାଉଥିବା ରାଜନୌତିକ ସମୀକ୍ଷକ ମାନେ ପୂର୍ବାନୁମାନ କରିଛନ୍ତି । ଯଦିଓ ୨୦୧୭ ପଞ୍ଚାୟତ ପରୀକ୍ଷାରେ ଭଲମାର୍କ ପାଇଥିଲା ବିଜେଡି ତଥାପି ଏଥର ବିଜେପି ସହ ଟକ୍କର ହେବାକୁ ଥିବାରୁ ଏବେଠୁ ରଣନୀତି ରଚାଗଲାଣି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି, ବିଜେଡି ସହ କଡା ଟକ୍କର ଦେଇଥିବାରୁ ଅନେକ ଜାଗାରେ ପରାଜିତ ହୋଇଥିଲା ବିଜେଡି ଯାହା ପଞ୍ଚାୟତ ପରୀକ୍ଷାରେ ପୁନରାବୃତି ନହେଉ । ତେଣୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ସରକାରୀ ଦଳ । ବିଭିନ୍ନ ସ୍ତରରେ ସାଙ୍ଗଠନିକ ଶକ୍ତିକୁ ମଜବୁତ କରିବାରେ ଲାଗିପଡିଛି ବିଜେଡି । ନୂଆ ନେତୃତ୍ୱ, ବରିଷ୍ଠଙ୍କ ସହ ଯୁବଶକ୍ତିଙ୍କ କାନ୍ଧରେ ଭାର ଦେଇ ଏଥର ଟପ୍ପର ହେବାକୁ ଚେଷ୍ଟା ଚଳାଇଛି ବିଜେଜି । ଆଉ ଭୋଟ ପୂର୍ବରୁ ପଞ୍ଚାୟତ ସ୍ତର ପାଇଁ ନବୀନଙ୍କ ଏଭଳି ଘୋଷଣା ଉପରୋକ୍ତ କେତେକ ଆଶଙ୍କାକୁ ଉଜ୍ଜିବିତ କରୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.