ଚିନ୍ତା ବଢାଇଲା କରୋନାର ନୂଆ ଭ୍ୟାରିଆଣ୍ଟ
ପୁଣି ଚିନ୍ତା ବଢାଇଲା କରୋନାର ନୂଆ ଭ୍ୟାରିଆଣ୍ଟ । କରୋନାର ନୂଆ ପ୍ରଜାତି ଏବେ ପୁରା ଦୁନିଆଁରେ ବଢୁଥିବାରୁ ଏହାକୁ ନେଇ ଭାରତରେ ମଧ୍ୟ ଏକ ପ୍ରକାର ଭୟ ଦେଖାଦେଇଛି । ଏପରି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । କରୋନାର ବର୍ତ୍ତମାନ ସ୍ଥିତି ଓ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀ ଓ ସଚିବଙ୍କ ସହ ଆଲୋଚନା କରୁଛନ୍ତି ।
ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ପ୍ରଜାତି ଡେଲଟା ଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞ । ଦକ୍ଷିଣ ଆଫ୍ରିକା ସମେତ ହଂକଂ, ବୋସ୍ୱାନା ଓ ବେଲଜିୟମରେ ମଧ୍ୟ ଏହି ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଏନେଇ ଅନୁଧ୍ୟାନ ଚାଲିଛି, ଏହା କେତେ ମାତ୍ରାରେ ପ୍ରଭାବ ପକାଇବ, ଆଉ କିଛି ସପ୍ତାହ ପରେ ଜଣାପଡିବ ।
ସେପଟେ ଫ୍ରାନ୍ସ, ବ୍ରିଟେନ୍, ଇସ୍ରାଏଲ ଭଳି ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି । ଭାରତ ମଧ୍ୟ ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିଛି । ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବା ସହ କରୋନା ପରୀକ୍ଷା କରାଯିବ । ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କ ଜେନମ୍ ସିକ୍ୱୁଏନ୍ସିଂ ପାଇଁ ତୁରନ୍ତ ପଠାଇବାକୁ କୁହାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ ହେବାକୁ ଥିବା ଆଲୋଚନା ଓ ପଦକ୍ଷେପ ଉପରେ ସମସ୍ତଙ୍କ ନଜର । କାରଣ ଦେଶର କିଛି ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ବଢିବାରେ ଲାଗିଛି । କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ ଓ ଓଡିଶା ସମେତ କିଛି ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।