ରହସ୍ୟରେ ଧଳା ଇନୋଭା
ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ଜବତ କରାଯିବା ଘଟଣାରେ ନୂଆ ମୋଡ଼ । ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଚାଳକଜଣଙ୍କ ଯେଉଁ ଧଳା ରଙ୍ଗର ଇନୋଭା ଗାଡ଼ିରେ ବସି ଫେରାର ହୋଇଯାଇଥିଲେ, ସେହି ଗାଡ଼ି ମୁମ୍ବାଇ ପୁଲିସର ବୋଲି ଜଣାପଡ଼ିିଛି। ସେପଟେ ଏହି ଘଟଣାରେ ମୁମ୍ବାଇ ପୋଲିସ ଅଫିସର ଗିରଫ ହୋଇଛନ୍ତି । ଆସିଷ୍ଟାଂଟ ପୋଲିସ ଇନ୍ସପେକ୍ଟର ସଚିନ ୱାଜେଙ୍କୁ ଦୀର୍ଘ ୧୨ଘଂଟା ଧରି ଗୁଡାଇ ତୁଡାଇ ଏନଆଇଏ ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଆଂଟିଲିଆ ସମ୍ମୁଖରୁ ମିଳିଥିବା ବିସ୍ଫୋରକ ଭର୍ତି କାର ଜବତ ଘଟଣାରେ ସଚିନ ୱାଜେଙ୍କ ସମ୍ପୃକ୍ତି ରହିଥିବା ସେ ନିଜ ସ୍ୱୀକାର କରିଛନ୍ତି ।ସିସିଟିଭି ଯାଞ୍ଚ ପରେ ଗାଡ଼ିଟି ଥାନେ-ମୁଲୁଣ୍ଡ ଟୋଲ ପ୍ଲାଜାରେ ଟୋଲ ଦେଇ ଥାନେ ଅଭିମୁଖେ ଯାଇଥିଲା। ଗାଡ଼ି ଭିତରେ ଦୁଇଜଣ ବସିଥିବାର ଦେଖାଯାଇଥିଲା। ଏବେ ସୂଚନା ମିଳିଛି ଯେ, ଦୁର୍ବୃତ୍ତମାନେ ଫେରାର ହୋଇଥିବା ଇନୋଭା ଗାଡ଼ି ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଥିଲା। ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମନସୁଖ ହିରେନଙ୍କର ଥିବା ବେଳେ ଇନୋଭା ଗାଡ଼ି ମାଲିକଙ୍କୁ ଖୋଜା ଯାଉଥିଲା। ଏବେ ତାହା ମୁମ୍ବାଇ କ୍ରାଇମ ବ୍ରାଞ୍ଚର ବୋଲି ଜଣାପଡ଼ିବା ପରେ ମାମଲା ନୂଆ ମୋଡ଼ ନେଇଛି, କାରଣ ସ୍କର୍ପିଓ ମାଲିକ ମନସୁଖ ହିରେନଙ୍କ ହତ୍ୟା ଅଭିଯୋଗ ଲାଗିଥିବା ପୁଲିସ କର୍ମଚାରୀ ସଚିନ ବଜେ ମଧ୍ୟ ମୁମ୍ବାଇ କ୍ରାଇମ ବ୍ରାଞ୍ଚରେ ଥିଲେ। ସ୍କର୍ପିଓ ମାଲିକ ମନସୁଖ ହିରେନଙ୍କର ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୁଲିସ କର୍ମଚାରୀ ସଚିନ ବଜେଙ୍କ ଉପରେ ହତ୍ୟା ଅଭିଯୋଗ ଲଗାଇଥିଲେ। ଏନେଇ ଗତକାଲି ପୁଲିସ କର୍ମଚାରୀ ସଚିନ ବଜେଙ୍କୁ ଏନଆଇଏ ପଚରାଉଚରା କରିବା ସହ ଗିରଫ କରିଥିଲା।