‘ଆବଶ୍ୟକ ପଡ଼ିଲେ କଣ୍ଟେନମେଣ୍ଟ ଜୋନ୍ ହେବ’
ଦେଶର ଅନେକ ସହରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହଠାତ କରୋନା ସଂକ୍ରମଣ ବଢ଼ିବାରୁ ଏହାର କାରଣ ଏବଂ ଏହାକୁ କିପରି ରୋକାଯାଇପାରିବ, ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଛି।
କରୋନା ସଂକ୍ରମଣକୁ ରୋକିବା ପାଇଁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମହାରାଷ୍ଟ୍ର ଏବଂ ପଞ୍ଜାବ ପରି ଅଳ୍ପ କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି। ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ହାର ବୃଦ୍ଧି ପାଉଛି। ଯଦି ଆମେ ଏହାକୁ ନିୟନ୍ତ୍ରଣ କରିବା ନାହିଁ, ତେବେ ଦେଶ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଖିବ। ତେଣୁ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଠୋର କାର୍ୟ୍ୟାନୁଷ୍ଠାନ ଆବଶ୍ୟକ” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଯେଉଁଠି ଜରୁରୀ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ। କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସ ପାଇଁ ଆବଶ୍ୟକ ଥିଲେ ତାହା ମଧ୍ୟ କରାଯାଉ। ସହରରୁ ଯେମିତି ଗାଁକୁ ନବ୍ୟାପିବ ସେଥିପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ହେଉ। ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍କୁ ନେଇ ଆମକୁ କାର୍ୟ୍ୟ କରିବାକୁ ପଡ଼ିବ। ଦେଶର ସବୁ ରାଜ୍ୟରେ ଆରଟିପିସିଆର ଟେଷ୍ଟ ବଢ଼ାଇବାକୁ କହିଛନ୍ତି ମୋଦି। ଓଡ଼ିଶା, ବିହାର ଆଦି ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ବେଶୀ ହେଉଛି। ସେସବୁ ବଦଳାଇ ଆରଟିପିସିଆର ଟେଷ୍ଟ କରାଯିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି କହିଛନ୍ତି। ଆରଟିପିସିଆର ଟେଷ୍ଟ ଯେତେ ବଢ଼ିବ, ସଂକ୍ରମଣ ବୃଦ୍ଧି ସେତେ ଶୀଘ୍ର କମିବ ବୋଲି ମୋଦି କହିଛନ୍ତି।