THE BYAPINI

ହାତୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା

Get real time updates directly on you device, subscribe now.

କଳାହାଣ୍ଡି କର୍ଲପାଟରେ କାହିଁକି ମରୁଛନ୍ତି ହାତୀ ?  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ସଂପର୍କରେ ସମୀକ୍ଷା କରି ଉଦ୍‌ବେଗ ପ୍ରକାଶ କରିଛନ୍ତି । ଭିଡିଓ କନଫରେନ୍ସ ଯୋଗେ ସମୀକ୍ଷା କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ ହାତୀ ମୃତ୍ୟୁ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ, ପରିବେଶ, ପଶୁ ସମ୍ପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନିଅନ୍ତୁ । ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେଇ ହାତୀମୃତ୍ୟୁ ରୋକାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଭୟାରଣ୍ୟ ଓ ତାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଥିବା ଗୃହପାଳିତ ପଶୁମାନଙ୍କର ଟୀକାକରଣ ସୁନିଶ୍ଚିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ, ଡିଏଫଓ ଓ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭୟାରଣ୍ୟରେ ଥିବା ସମସ୍ତ ଜଳାଶୟଗୁଡିକୁ ତୁରନ୍ତ ବିଶୋଧନ କରିବା ଏବଂ ଜଳର ନମୂନା ତୁରନ୍ତ ପରୀକ୍ଷା କରିବା ସହିତ ନିୟମିତ ପରୀକ୍ଷା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

କଳାହାଣ୍ଡିର କାରଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଛି । ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହି ହାତୀଗୁଡିକ ପାଷ୍ଟେୟୁରେଲା ମଲ୍ଟୋସିଡା ନାମକ ଏକ ଜୀବାଣୁ ଦ୍ବାରା ସଂକ୍ରମିତ ହୋଇ ହେମୋରାଜିକ୍ ସେପ୍ଟିସେମିଆ ରୋଗରେ ମୃତ୍ୟୁବରଣ କରିଛନ୍ତି । ହି ଦଳରେ ସମୁଦାୟ ୮ଟି ହାତୀରୁ ୬ଟିର ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଆଉ ଦୁଇଟି ହାତୀ ଦଳ ରହିଛନ୍ତି । ସେହି ଦଳଗୁଡିକୁ ଟ୍ରାକ୍‌ କରାଯାଇ ସେମାନେ ଯେପରି ସଂକ୍ରମିତ ଦଳର ସଂସ୍ପର୍ଶରେ ନ ଆସିବେ, ସେଥିପାଇଁ ପଦକ୍ଷେପ ନିଆଯାଉଛି । ଏହାସହିତ ଏହି ଅଞ୍ଚଳରେ ଥିବା ୪୩ଟି ଜଳାଶୟରୁ ୨୫ଟି ଜଳାଶୟର ବିଶୋଧନ କରାଯାଇଛି ଏବଂ ବାକି ଗୁଡିକର ବିଶୋଧନ କରାଯାଉଛି ।

ହାତୀମାନଙ୍କର ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ରେଞ୍ଜ୍‌ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଦୁଇଟି ଜୋନ୍‌କୁ ନେଇ ୧୦ଟି ଟିମ୍‌ ଗଠନ କରାଯାଇଛି । ଜଙ୍ଗଲ ବିଭାଗ ଓ ପଶୁସଂପଦ ବିଭାଗରୁ ଦୁଇଟି ରାଜ୍ୟସ୍ତରୀୟ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇ ପରିସ୍ଥିତିକୁ ଆକଳନ କରାଯିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.