THE BYAPINI

ନବୀନଙ୍କ ପାଇଁ ସବୁଠାରୁ ବଡ ପୁରଷ୍କାର କଣ?

Get real time updates directly on you device, subscribe now.

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମଦିନ ପଂଚାତିରାଜ ଦିବସରେ ନବୀନ ଏକ ଗୁରୁତ୍ୱପୁର୍ଣ୍ଣ ଦିଗ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ଥିବା ଦଳ ଏବଂ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ଅନେକ ରେକର୍ଡ କରିଥିବା ନବୀନ ପଟ୍ଟନାୟକଙ୍କ ପାଇଁ ସବୁଠାରୁ ବଡ ପୁରଷ୍କାର କଣ, ତାକୁ ଦଳୀୟ କର୍ମୀଙ୍କ ପାଖରେ ରଖିଛନ୍ତି ନବୀନ । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଏନେଇ କର୍ମୀ ଆଉ ନେତାଙ୍କୁ ଅବଗତ କରାଇଛନ୍ତି ବିଜେଡି ସୁପ୍ରିମୋ ।

ନବୀନ କହିଛନ୍ତି, ଯେତେବେଳେ ଗାଁର କଚ୍ଚା ଘରେ ରହୁଥିବା ପରିବାରର ଘର ପକ୍କା ଘରରେ ପରିଣତ ହେଉଛି, ତା’ ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୁଅରେ ତା ଘର ଉଜ୍ଜ୍ଵଳ ଦିଶୁଛି, ସେତେବେଳେ ତା’ ମୁହଁ ରେ ହସ ଆସୁଛି। ଆଉ ତାହା ହେଉଛି ଆମ ପାଇଁ ସବୁଠାରୁ ବଡ ପୁରସ୍କାର । ଅର୍ଥାତ୍ ନବୀନଙ୍କ ପାଇଁ ସାମଗ୍ରିକ ବିକାଶ ହିଁ ସବୁଠାରୁ ବଡ ପୁରଷ୍କାର ବୋଲି ଅଭିହିତ କରିଛନ୍ତି । ନବୀନ କହିଛନ୍ତି, ଯେତେବେଳେ ମା’ଟିଏ ପଞ୍ଚାୟତ ଅଫିସରେ ବସି ଗାଁ ର ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତିର ମା’ଟିଏ ଯେତେବେଳେ ଋଣ ଆଣି ପରିଶ୍ରମ କରି ବେପାର ବୃଦ୍ଧି କରୁଛି ଓ ତାର ପରିବାର ପାଇଁ ସମୃଦ୍ଧି ଆଣୁଛି, ସେତେବେଳେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି। ସରକାରୀ ସ୍କୁଲରେ ପଢୁଥିବା ପିଲା ପାଇଁ ଯେତେବେଳେ ସୁଯୋଗ ସୃଷ୍ଟି ହେଉଛି ସେତେବେଳେ ଯୁବ ସମାଜର ସ୍ୱପ୍ନ ଦିଗନ୍ତ ପ୍ରସାରୀ ହେଉଛି । କ୍ରୀଡା କ୍ଷେତ୍ରରେ ନୂଆ ସୁଯୋଗ ଯୁବ ସମାଜ ପାଇଁ, ତାର ପ୍ରତିଭା ବିକାଶ ପାଇଁ ରାସ୍ତା ଦେଖାଉଛି ।

ବଡ କଥା ହେଉଛି, ଏହି ସଫଳତା ବିଜେଡିକୁ ଅହଙ୍କାରୀ କରିନାହିଁ । ସମସ୍ତ ସଫଳତା ହାସଲ କରିପାରିଛି ବୋଲି ଦଳ ଯେଉଁଦିନ ଚିନ୍ତା କରିବ ଠିକ ସେତିକି ବେଳେ ପତନ ଆରମ୍ଭ ହେବାର ଅନେକ ନଜିର ରହିଛି । ତେଣୁ ଅନେକ ରାସ୍ତା ଆହୁରି ଅତିକ୍ରମ କରିବାକୁ ଥିବା ବାର୍ତ୍ତା ଦେଇଛନ୍ତି ନବୀନ । କହିଛନ୍ତି, ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି । ତଥାପି ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି । ଏହି କେଇପଦ କଥା ହିଁ ଆଗାମୀ ଦିନରେ ଦଳକୁ ରାସ୍ତା ଦେଖାଇବ ବୋଲି ଅନୁମାନ କରାଯାଉଛି । ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଜୀବନର ଲକ୍ଷ୍ୟ । ସେବା ଓ ସ୍ଵାଭିମାନ ଥିଲା ତାଙ୍କ ଆଦର୍ଶ । ଏହି ଆଦର୍ଶରେ ବିଜେଡିର ଲକ୍ଷ ଲକ୍ଷ କର୍ମୀ, ଭାଇ ଭଉଣୀ କାମ କରି ଚାଲିଛନ୍ତି ।

ଆଗାମୀ ଦିନରେ ଦଳ ପିପିଲି ଉପ ନିର୍ବାଚନକୁ ସାମ୍ନା କରିବାକୁ ଯାଉଥିବା ବେଳେ ପଂଚାୟତ ନିର୍ବାଚନର ପାହାଡ ଦଳ ସାମ୍ନାରେ ଅଛି । ତେଣୁ ବିକାଶର ବାର୍ତ୍ତା ଧରି ଗାଁ ଗାଁରେ ପହଁଚିବାକୁ ଦିଆଯାଇଥିବା ଆହ୍ୱାନ ଦଳ ପାଇଁ କେତେ ପ୍ରଭାବୀ ହେବ ତାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା ।

Get real time updates directly on you device, subscribe now.

Leave A Reply

Your email address will not be published.