ଅନାଥଙ୍କ ପାଇଁ ‘ଆଶୀର୍ବାଦ’
ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା । ମହାମାରୀ କରୋନାରେ ବାପା, ମାଆଙ୍କୁ ହରାଇଥିବା ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଶୀର୍ବାଦ’ ଯୋଜନା ଆରମ୍ଭ କରିଛନ୍ତି । ୨୦୨୦ ଏପ୍ରିଲ ୧ ପରଠାରୁ ଉଭୟ ବାପା, ମାଆ ଅବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା, ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା ‘ଆଶୀର୍ବାଦ’ ଘୋଷଣା କରିଛନ୍ତି ।
‘ଆଶୀର୍ବାଦ’ ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ।ବାପା ,ମା ଉଭୟଙ୍କୁ ହରାଇ ଥିବା ପିଲା, ଏକକ ଅଭିଭାବକଙ୍କୁ ହରାଇ ଥିବା ପିଲା ଏବଂ ଉପାର୍ଜନକାରୀ ବାପା ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା ଏହି ଯୋଜନାରୁ ଉପକୃତ ହେବେ । ‘ଆଶୀର୍ବାଦ’ ଯୋଜନା ଅନୁଯାୟୀ ବାପା ମା ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ ଶିକ୍ଷା ,ଓ ସ୍ୱାସ୍ଥ୍ୟ ପାଇଁ ମାସିକ ୨୫୦୦ଟଙ୍କା ଡିଜିଟାଲ ମାଧ୍ୟମରେ ଜମା କରାଯିବ । ପିଲାଙ୍କୁ ୧୮ବର୍ଷ ହେବା ପର୍ୟନ୍ତ ଏହି ସହାୟତା ଜାରି ରହିବ। ତା’ ପୂର୍ବରୁ ଯଦି ପିଲାଙ୍କୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆଯିବ ନାହିଁ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ ।
ବାପା ମାଆଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ । ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥାନ୍ତି, ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡେ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ । ପିଲାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ଚାହିବେ ତେବେ ପିଲାକୁ ଅନ୍ୟ ସ୍କୁଲରେ ପଢାଇବା ପାଇଁ ଶିଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ ।ଉଚ୍ଚଶିଷା ପାଇଁ ପିଲାଙ୍କୁ ରାଜ୍ୟ ସରକାରଙ୍କ ଗ୍ରୀନ୍ ପାସେଞ୍ଜର ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ ।
ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ‘ଆଶୀର୍ବାଦ’ ଯୋଜନାରେ ଏହି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ୱଜନମାନଙ୍କ ଗହଣରେ ହିଁ ରହିବେ ଏବଂ ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକ ମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।