ନୂଆ ଲୁକରେ ନବୀନ
ନୂଆ ଲୁକରେ ନବୀନ । ଟ୍ରାକ ପ୍ୟାଣ୍ଟକୁ ଧଳା ରଙ୍ଗର ଟି-ସାର୍ଟ ପିନ୍ଧି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଟେନିସ କୋର୍ଟ ଓ ଇଣ୍ଡୋର ଷ୍ଟାଡିୟମ ବୁଲି ଦେଖିଥିଲେ ନବୀନ । ଏହାସହ ଓଡ଼ିଶା ମହିଳା ଫୁଟବଲ ଲିଗ୍ ମ୍ୟାଚ୍ ଦେଖିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଇନଡୋର ଆଥଲେଟିକ୍ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ।
ଏହି ଷ୍ଟାଡିୟମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ । ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି।ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ ।
ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ଫୁଟବଲ୍ ପଡିଆରେ ଅନୁଷ୍ଠିତ ହେଉଥିବା ଓଡିଶା ମହିଳା ଫୁଟବଲ ଲିଗ୍ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକି ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀ ମାନଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ। ହକୀ କ୍ରୀଡାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।