ଏଣିକି ଅନଲାଇନରେ ମିଳିବ କୋଭିଡ ରିପୋର୍ଟ
ଏଣିକି ୱେବସାଇଟ୍ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ । ଲୋକେ କେମିତି ସହଜରେ ଟିକାକରଣ ନେଇ ପାରିବେ ଏବଂ କରୋନା ଟେଷ୍ଟ କରି ପାରିବେ ରାଜ୍ୟ ସରକାର ସେ ନେଇ ବ୍ୟବସ୍ଥା କରିଛନ୍ତି । ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ରାଜ୍ୟ ସରକାରଙ୍କ ୱେବସାଇଟରୁ ସେମାନଙ୍କ ରିପୋର୍ଟ ପାଇପାରିବେ ।କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବେ । ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ ।
ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏଥିସହ ଏହି ରିପୋର୍ଟରେ ଥିବା କ୍ୟୁଆର କୋଡ୍ ଯୋଗେ ପ୍ରାଧିକୃତ ସଂସ୍ଥା ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ମହାମାରୀ ବିରୋଧରେ ଲଢ଼େଇରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ।”
ପରୀକ୍ଷା ରିପୋର୍ଟ ଅତ୍ୟନ୍ତ ସୁବିଧାଜନକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ‘୫ଞ’ ଅଧୀନରେ ଏହି ଆରଟି ପିସିଆର ରିପୋର୍ଟ ୱେବସାଇଟ୍ ଆରମ୍ଭ କରାଯାଇଛି। ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଓଟିପି ଦ୍ୱାରା ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରକୁ ରିପୋର୍ଟ ପଠାଯିବାର ବ୍ୟବସ୍ଥା ହୋଇଛି। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ର କହିଛନ୍ତି, “ଅନେକ ସମୟରେ ଲୋକମାନେ କୋଭିଡ ରିପୋର୍ଟ ପାଇବା ପାଇଁ ପରୀକ୍ଷା କେନ୍ଦ୍ରରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନର କଠିନ ସମୟରେ ନିଜ ନମୁନା ପରୀକ୍ଷା ରିପୋର୍ଟ ଜାଣିବା ନେଇ ଉତ୍କଣ୍ଠା ରହିବା ସ୍ୱାଭାବିକ ଏବଂ ଲୋକମାନେ ନମୁନା ପରୀକ୍ଷା ପାଇଁ ଦେଇ ସଙ୍ଗେସଙ୍ଗେ ରିପୋର୍ଟ ଆଶା କରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ଆମେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିଧାସଳଖ ଲୋକଙ୍କୁ ନମୁନା ପରୀକ୍ଷା ରିପୋର୍ଟ ପ୍ରଦାନର ବ୍ୟବସ୍ଥା କରିଛୁ।