ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା
ମହାମାରୀ ସମୟରେ ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ୩୫୨ କୋଟିର ସ୍ୱତନ୍ତ୍ର କୋଭିଡ ସହାୟତାର ଘୋଷଣା କରାଯାଇଛି । ମନରେଗାରେ ଶ୍ରମିକଙ୍କ ପାଇଁ ଏପ୍ରିଲ, ମେ ଓ ଜୁନ ମାସ ପାଇଁ ସହାୟତା ଘୋଷଣା ହୋଇଛି । । ପ୍ରତି ଶ୍ରମ ଦିବସ ପାଇଁ ପ୍ରତି ହିତାଧିକାରୀଙ୍କୁ ଅତିରିକ୍ତ ୫୦ ଟଙ୍କା ସହାୟତା ମିଳିବ । ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ। ୭ ଦିନ ମଧ୍ୟରେ ସମସ୍ତେ ଅର୍ଥ ପାଇବେ। ଏଥିରେ ୩୨ ଲକ୍ଷ ଅଧିକ ଶ୍ରମିକ ଉପକୃତ ହେବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମନରେଗା ଅଧିନିୟମ ଅନୁଯାୟୀ ନିଶ୍ଚିତ ୧୦୦ ଦିନର କାର୍ୟ୍ୟ ସହିତ ୨୦୦ ଦିନର ଅତିରିକ୍ତ କାର୍ୟ୍ୟଦିବସ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟବରାଦ କରିଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ ସମୟରେ ରାଜ୍ୟ ମନରେଗାର ବିଭିନ୍ନ ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଶ୍ରମଦିବସ ସୃଷ୍ଟିରେ ଶ୍ରେଷ୍ଠ ଚାରିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ୭ କୋଟି ୫ ଲକ୍ଷ ୯୩ ହଜାର ୩ ଶହ ଶ୍ରମଦିବସ ସୃଷ୍ଟି ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ ହାସଲ ହୋଇଛି । ଚଳିତବର୍ଷ ୩୨ ଲକ୍ଷ ୧୮ ହଜାର ୫ ଜଣଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇଛି ।