ଦିଲ୍ଲୀରେ ଆମର କେହି ବସ୍ ନାହାନ୍ତି : ନବୀନ
ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଯୋଗଦେଇ ରାଜନୀତିର ଏଭଳି କିଛି କାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳିଛନ୍ତି ଯାହା ଆଗାମୀ ରାଜନୈତିକ ଅଧ୍ୟାୟକୁ ରୋଚକ କରିବାକୁ ଯାଉଛି । ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଏବଂ ଓଡିଆ ଭାଷା, ସଂସ୍କୃତି ଐତିହ୍ୟକୁ ନେଇ ନବୀନ ଯେଉଁ ବୟାନ ରଖିଛନ୍ତି ତାହା ରାଜ୍ୟ ରାଜଧାନୀରୁ ଜାତୀୟ ରାଜଧାନୀ ଯାଏଁ କମ୍ପନ ସୃଷ୍ଟି କରିବାକୁ ଯାଉଛି । ହିନ୍ଦୀ ଭାଷାକୁ ଲଦିଦେବାକୁ ନେଇ ଯେଉଁ ବିବାଦ ତିଆରି ହୋଇଥିଲା, ସେଥିରେ ଆଜି ଏଂଟ୍ରୀ ମାରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, ଜାତୀୟ ଦଳଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୋଟିଏ ଭାଷା ଗୋଟିଏ ସଂସ୍କୃତିକୁ ଲଦିଦେବା । ଏହା ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଓଡିଆ ଭାଷା ଆଉ ସ୍ୱତନ୍ତ୍ର ଓଡିଶାର ପରିଚୟ ହିଁ ହେବ ଆଗାମୀ ଦିନରେ ବିଜେଡି ରାଜନୀତିର ମୁଳମୁଦ୍ଦା ।
ନିଜ ଅଭିଭାଷଣରେ ନବୀନ କହିଥିଲେ, ଯୁବଶକ୍ତି ରାଷ୍ଟ୍ରର ସବୁଠାରୁ ବଡ ସଂପତ୍ତି । ଓଡିଶା ଅନନ୍ୟ ଆଉ ଅସାଧାରଣ । ଦେଶର ପ୍ରଥମ ଭାଷାଭିତ୍ତିିକ ରାଜ୍ୟ । ଓଡିଶାର ଭାଷା, ସଂସ୍କୃତି ଐତିହ୍ୟ ମଧ୍ୟ ଅସାଧାରଣ । ମହାନଦୀ ଆମ ଜୀବନରେଖା । ମହାନଦୀର ପାଣି ପ୍ରତି ଓଡିଆଙ୍କ ପାଇ ଅଶୀର୍ବାଦ ହୋଇ ବହି ଚାଲିଛି । ରାଜ୍ୟ ପ୍ରଚୁର ଖଣିଜ ସଂପଦରେ ଭରପୁର । ସମୃଦ୍ଧ ଆଦିବାସୀ ସଂସ୍କୃତି ଆମର ଶକ୍ତି । ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ହୋଇ ଏହା ରହିଛି । ଓଡିଶାର ଏହି ଅନନ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଆମର ପୂର୍ବ ପୁରୁଷ ଅନେକ ତ୍ୟାଗ କରିଛନ୍ତି । ଆମ ପାଇଁ ଲଢେଇ କରି ଆମକୁ ସ୍ୱତନ୍ତ୍ର ରାଜ୍ୟ ଦେଇଛନ୍ତି ।
ନିଜ ଅଭିଭାଷଣରେ ଜାତୀୟ ଦଳ ଗୁଡିକୁ ଟାର୍ଗେଟ କରି ନବୀନ କହିଛନ୍ତି, ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ କଣ? ନିର୍ବାଚନ ଜିତିବା, କ୍ଷମତା ଅଧିକାର କରିବା ଏବଂ କେନ୍ଦ୍ରରେ ସରକାର କରିବା । ଜାତୀୟ ଦଳର ରାଜ୍ୟ ନେତା ମୁଖ୍ୟ ଲକ୍ଷ୍ୟ କଣ? ଜାତୀୟ ଦଳର ରାଜ୍ୟ ନେତୃତ୍ୱଙ୍କ ମୁଳ ଲକ୍ଷ୍ୟ ହେଲା, ଜାତୀୟ ନେତାଙ୍କୁ ଖୁସି କରିବା ଏବଂ ମନ୍ତ୍ରୀ ହେବା ସହ କିଛି ବଡ ପଦ ପଦବୀ ପାଇବା । ଇତିହାସ ଅଛି, ଜାତୀୟ ଦଳ ଗୁଡିକର ମୁଖ୍ୟ ଲକ୍ଷ୍ୟ ହେଉଛି, ଗୋଟିଏ ଭାଷା ହିନ୍ଦୀ, ଗୋଟିଏ ସଂସ୍କୃତି ଗୋଟିଏ ନୀତି । ଯାହାକି ବଡ ବଡ ରାଜ୍ୟ ମାନଙ୍କ ପାଇଁ ସୁବିଧା ହେବ । ଏହା ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ । ଏହାପରେ ସେମାନେ ଅନ୍ୟ ରାଜ୍ୟ ମାନଙ୍କର ସ୍ୱତନ୍ତ୍ର ପରିଚୟକୁ ଅଣଦେଖା କରିବା ସହ ସେହି ନୀତିକୁ ଅନ୍ୟମାନଙ୍କ ଉପରେ ଲଦିଦେଇଥାନ୍ତି । ନିଜ ସ୍ୱାର୍ଥ ପାଇଁ ରାଜ୍ୟ ମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତାରେ ସାଲିସ୍ କରିଥାନ୍ତି ଜାତୀୟ ଦଳ ।
ନବୀନ କହିଥିଲେ, ଆମ ଭାଷା ଓଡିଆ ହିନ୍ଦୀ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର । ଆମ ପାଇଁ ଓଡିଶୀ ସଂଗୀତ ସହ ଆମ ଆଦିବାସୀଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି । ଆମ ପାଇଁ ସମ୍ବଲପୁରୀ ବସ୍ତ୍ରାଳୟ ବିଶ୍ୱସ୍ତରୀୟ । ଗୋଟିଏ ଜାତୀୟ ଦଳ ପାଇଁ ଏହାର ମୁଲ୍ୟ କିଛି ନାହିଁ । ଆମ ଐତିହ୍ୟ ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତା ଚାହୁଁନାହାନ୍ତି । ଜାତୀୟ ଦଳରେ ଏହି ବିଷୟ ଉଠାଇବା ପାଇଁ ସମର୍ଥ ବି ହେଉନାହାନ୍ତି । ଅତୀତରେ ରିମୋଟ କଂଟ୍ରୋଲ ଦ୍ୱାରା କଂଗ୍ରେସ ଚାଲୁଥିଲା ଆଉ ଏବେ ବିଜେପି ଶାସିତ ରାଜ୍ୟ ମଧ୍ୟ ଜାତୀୟ ନେତାଙ୍କ ନିର୍ଦ୍ଦେଶ ମାନୁଛନ୍ତି । ଆଂଚଳିକ ଦଳ ଦ୍ୱାରା ସଶକ୍ତ ଓଡିଶାର ପରିକଳ୍ପନା କରାଯାଇପାରିବ ବୋଲି ନବୀନ ଉଲ୍ଲେଖ କରିଥିଲେ ।
ନିଜ ଅଭିଭାଷଣରେ ନବୀନ କହିଥିଲେ, ଦିଲ୍ଲୀରେ ଆମର କେହି ବସ୍ ନାହାନ୍ତି । ଓଡିଶା ବାସୀ ହେଉଛନ୍ତି ଆମର ବସ୍ । ଆମେ କେବଳ ଓଡିଶାବସୀଙ୍କ ପାଇଁ କାର୍ଯ୍ୟ କରୁଛୁ ଏବଂ ସେମାନଙ୍କର ଅଧିକାର ପାଇଁ ଲଢୁଛୁ । ମହାନଦୀ ପାଣି ପାଇଁ ବିଜେଡି ଲଢୁଛି । କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ଲଢେଇ କରୁଛୁ । ଖଣିଜ ସଂପଦର ଲାଭ କିଭଳି ଓଡିଶା ଏବଂ ଓଡିଶାବାସୀ ପାଇବେ ସେଥିପାଇଁ ଅମେ ଲଢେଇ କରୁଛୁ । ଉଭୟ ଜାତୀୟ ଦଳ ବିଜେପି ଓ କଂଗ୍ରେସ ସେମାନଙ୍କର ନିର୍ବାଚନୀ ଇସ୍ତାହରରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ୧ ନମ୍ବରରେ ରଖିଥିଲେ । ହେଲେ ନିର୍ବାଚନ ପରେ ଏହାକୁ ସହଜରେ ଭୁଲିଗଲେ । ବିଜେଡି ଏଥିପାଇଁ ଲଢେଇ ଜାରି ରଖିବ । ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ଆଚରଣ ସବୁବେଳେ ଉଠାଇବ ।
ଯୁବ ଜନତା ଦଳକୁ ଉଦବୋଧନ ଦେଇ ନବୀନ କହିଥିଲେ, ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ଗଠନର ମୁଳ ଲକ୍ଷ୍ୟ ହେଉଛି ଆମ ସ୍ୱତନ୍ତ୍ରତାର ସୁରକ୍ଷା ଓ ଲୋକଙ୍କ ସୁରକ୍ଷା । ଗୋଟିଏ ଆଂଚଳିକ ଦଳ ହିଁ ରାଜ୍ୟର ଲୋକଙ୍କ ପାଇଁ ଲଢେଇ କରେ । ବିଜେଡି ଏକ ଆଂଚଳିକ ଦଳ ଭାବେ ସ୍ୱତନ୍ତ୍ର ଓଡିଶା ଗଠନର ଆଦର୍ଶର ପ୍ରତୀକ ହୋଇଯାଇଛି । ଏହି ବାର୍ତ୍ତାକୁ ସମସ୍ତଙ୍କୁ ମନେ ରଖୀବାକୁ ଆହ୍ୱାନ ଦେଇ ବିଜେଡି ସୁପ୍ରିମୋ କହିଥିଲେ, ଜାତୀୟ ଦଳଙ୍କ ପାଇଁ ଯୁବ ସମାଜର ଆବଶ୍ୟକତା ଗୈାଣ ହୋଇଯାଏ । ଆଉ ଆଂଚଳିକ ଦଳ ହିଁ ସେମାନଙ୍କର ଆବଶ୍ୟକତକୁ ବୁଝି ପୁରଣ କରିଥାନ୍ତି ।
ବଡ କଥା ହେଉଛି, ନବୀନ ନିଜର ଏହି ଅଭିଭାଷଣରେ ଆଗାମୀ ରାଜନୈତିକ ସ୍ଥିତିର ଯେଉଁ ମୁଳଦୁଆ ପକାଇଛନ୍ତି, ତାହା ଭାଷା ରାଜନୀତି, ଜାତୀୟ ଦଳ ବିରୁଦ୍ଧରେ ରଣହୁଙ୍କାର ଭଳି ଦିଗକୁ ସାମ୍ନାକୁ ଆଣୁଛି ।