ଶାହାଙ୍କ ସହ କଥା ହେଲେ ନବୀନ..ୟୁକ୍ରେନରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଅନୁରୋଧ
ୟୁକ୍ରେନରେ ଫଶି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ। ଋଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପୂରା ବିଶ୍ୱରେ ଏବେ ଭୟର ବାତାବରଣ ଖେଳିଯାଇଛି । କାରଣ ୟୁକ୍ରେନରେ ଅନେକ ଦେଶର ନାଗରିକ ରହିଛନ୍ତି । ଯେଉଁମାନଙ୍କୁ ଏଯାବତ ଉଦ୍ଧାର କରାଯାଇନାହିଁ । ଏସବୁ ଭିତରେ ୟୁକ୍ରେନରେ ଅନେକ ଭାରତୀୟ ମଧ୍ୟ ରହିଛନ୍ତି । ଯେଉଁମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ସହ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି । ୟୁକ୍ରେନରେ ଫଶି ରହିଥିବା ଭାରତୀୟଙ୍କ ମଧ୍ୟରୁ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ ରହିଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ ଯୋଗେ କଥା ହେଲେ ନବୀନ ।
ଏ ଦିଗରେ ଭାରତ ସରକାର ପଦକ୍ଷେପ ନେଇଥିବା କହିଛନ୍ତି ଶାହା । କହିଲେ, ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ସରକାର । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସନା ଦେଇଛନ୍ତି ଶାହା ।
ଏହାପୂର୍ବରୁ ୟୁକ୍ରେନରେ ଫଶିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରିଥିଲେ ଭାରତ ସରକାର । ଏପରିକି ଏୟାର ଇଣ୍ଡିଆ ବିମାନ ପଠାଇ କିଛି ଭାରତୀୟଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା । ତେବେ ଋଷର ଘନ ଘନ ଆକ୍ରମଣ ଫଳରେ ବିମାନ ଅବତରଣ ନ କରିପାରିବାରୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି ।