୨୦୨୪ ପାଇଁ ନବୀନଙ୍କ ହକି ହତିଆର !
ଭାରତୀୟ ହକି ଟିମକୁ ନବୀନଙ୍କ ଆଉ ଏକ ବଡ ଭେଟି । ଅଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ ହକି ଟିମକୁ ସମ୍ବର୍ଦ୍ଧିତ କରିବାକୁ ଡାକି ନବୀନ ଯେଉଁ ସରପ୍ରାଇଜ ଭେଟି ଦେଇଛନ୍ତି ତାହା ବହୁମୂଲ୍ୟ ସଦୃଶ । ଓଡ଼ିଶା ଆଉ ୧୦ ବର୍ଷ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ବୋଲି ଘୋଷଣା କରି ନବୀନ ବାହାବା ସାଉଁଟୁଛନ୍ତି । ଅଥାର୍ତ ୨୦୩୩ ଯାଏଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା । ପୂର୍ବରୁ ୨୦୧୮ରେ ୫ ବର୍ଷ ଯାଏଁ ଓଡ଼ିଶା ଭାରତୀୟ ହକି ଟିମର ପ୍ରାୟୋଜକ ରହିବାକୁ ଘୋଷଣା କରିଥିଲେ ନବୀନ । ଯାହା ଆସନ୍ତା ୨୦୨୩ରେ ଶେଷ ହୋଇଥାନ୍ତା । କିନ୍ତୁ ସମ୍ବର୍ଦ୍ଧନା ସଭାରେ ଆଜି ନବୀନ ଯେଉଁ ଘୋଷଣା କରିଛନ୍ତି ତାହାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ୨୦୨୪ ନିର୍ବାଚନରେ ନବୀନଙ୍କ ପାଇଁ ହକି ସବୁଠୁ ବଡ ହତିଆର ସାଜିପାରେ ବୋଲି କୁହାଯାଉଛି । ଆଉ ଏହି ହକି ହତିଆରା ହିଁ ନବୀନଙ୍କୁ ପୁଣିଥରେ ଶାସନ ଗାଦିରେ ବସିବାରେ ସହାୟତା କରିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏଭଳି ଚର୍ଚ୍ଚା ପଛରେ ମଧ୍ୟ ଏକ ସ୍ପଷ୍ଟ କାରଣ ରହିଛି । ଆଉ ତାହା ହେଉଛି ହକି ପ୍ରତି ଲୋକଙ୍କ ଭଲ ପାଇବା ଓ ହକିକୁ ନେଇ ନବୀନଙ୍କର ବଢୁଥିବା ଲୋକପ୍ରିୟତା ।
ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ହକି ଦଳ ପୋଡିୟମ ଫିନିସ କରିବା ପରେ ଏବେ ଦେଶରେ ହକିର କ୍ରେଜ ବଢିଛି । କ୍ରିକେଟ ପାଗଳ ଦେଶ ଭାରତରେ ଏବେ ହକି ମାନିଆ ଦେଖିବାକୁ ମିଳୁଛି । କୋଟି କୋଟି ଭାରତୀୟ ପୁଣିଥରେ ଜାତୀୟ କ୍ରୀଡା ହକିକୁ ଆଦରି ନେଇଛନ୍ତି । କହିବାକୁ ଗଲେ ଭାରତ ହକିରେ ଅଲିମ୍ପିକ୍ସ ପଦକ ବିଜୟୀ ହେବା ପରେ ବଡ ଫ୍ୟାନବେସ ସୃଷ୍ଟି ହୋଇଛି । ଆଉ ଭାରତୀୟ ହକି ଟିମର ଏଭଳି ସଫଳତାର ଶ୍ରେୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବାକୁ ଭୁଲି ନାହିଁ ଦେଶ । କାରଣ ଗତ କିଛି ବର୍ଷ ତଳେ ଭାରତୀୟ ହକି ଦୁର୍ଦ୍ଦିନ ସମୟ ଦେଇ ଗତି କରୁଥିବା ବେଳେ ଦମ୍ଭ ଦେଇଥିଲେ ନବୀନ । ହତାଶା ଭିତରେ ଥିବା ଦଳର ହାତ ଧରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଜାତୀୟ କ୍ରୀଡାକୁ ପୁଣିଥରେ ନୂଆ ଜୀବନ ଦେବାକୁ ଆଗେଇ ଆସିଥିଲେ ନବୀନ । ଓଡ଼ିଶାରେ ହକିର ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ସାଙ୍ଗକୁ ଭାରତୀୟ ହକିର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିଲେ ରାଜ୍ୟ ସରକାର । ଖେଳାଳୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ସହ ଓଡ଼ିଶା ଭାରତୀୟ ହକି ଟିମର ୫ ବର୍ଷର ପ୍ରାୟୋଜକ ହେବାକୁ ୨୦୧୮ରେ ଘୋଷଣା କରିଥିଲେ ନବୀନ । ହକି ଖେଳାଳୀଙ୍କ ପାଇଁ ଭିତ୍ତିଭୂମି ସୁଦୃଢ କରିବା ସହ ମନୋବଳ ବଢାଇବାରେ ଟିକିଏ ବି ପଛଘୁଞ୍ଚା ଦେଇନଥିଲେ ନବୀନ । ଆଉ ଯେତେବେଳେ ସଂଘର୍ଷ ଭିତରେ ଗତି କରୁଥିବା ଦଳ ଆଜି ସଫଳତାର ସ୍ୱାଦ ଚାଖିଛି ସେତେବେଳେ ନବୀନଙ୍କୁ ଶ୍ରେୟ ମିଳିନଥାନ୍ତା ବା କିପରି । ଖେଳାଳୀ ଠାରୁ ଆରମ୍ଭ କରି ପୂରା ଦେଶ ନବୀନଙ୍କ ସମେତ ଓଡ଼ିଶାବାସୀଙ୍କୁ ପ୍ରଂଶସାରେ ପୋତି ପକାଉଛି । ଏପରିକି ନବୀନଙ୍କ ଫର୍ମୁଲା ସବୁ ରାଜ୍ୟ ଆପଣାନ୍ତୁ ବୋଲି ପୂରା ଦେଶରୁ ଦାବି ହେଉଛି । ଅଥାର୍ତ ହକିକୁ ନେଇ ଦେଶରେ ନବୀନ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡି ସାରିଲେଣି ।
ଏସବୁ ଭିତରେ ଆସନ୍ତା ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପ ହେବାକୁ ଯାଉଛି । ହୋମଗ୍ରାଉଣ୍ଡରେ ଖେଳ ହେବାକୁ ଥିବାରୁ ଭାରତ ଟାଇଟଲ ରେସରେ ଆଗରେ ରହିବ ନିଶ୍ଚୟ । ତେଣୁ ଯଦି ଭାରତ ବିଶ୍ୱକପ ବିଜୟୀ ହୁଏ ତେବେ ଏହାର ଶ୍ରେୟ ପୁଣିଥରେ ନବୀନଙ୍କ ପାଖକୁ ଯାଇପାରେ । ଦେଶରେ ପୁଣିଥରେ ନବୀନଙ୍କୁ ନେଇ ଚର୍ଚ୍ଚା ବଢିପାରେ । ଆଉ ବିଶ୍ୱକପର କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାରୁ ଜାତୀୟସ୍ତରରେ ଚର୍ଚ୍ଚାରେ ରହିବା ନବୀନଙ୍କ ୬ଷ୍ଠ ପାଳି କ୍ଷମତାକୁ ଫେରିବା ପାଇଁ ବାଟ ପ୍ରଶସ୍ତ କରିପାରେ । କାରଣ ୨୦୧୯ ନିର୍ବାଚନ ପୂର୍ବରୁ ପୁରୁଷ ବିଶ୍ୱକପ ହକି ଆୟୋଜନ କରି ନବୀନ ବେଶ ବାହାବା ସାଉଁଟିଥିବା ବେଳେ ଓଡ଼ିଶାର ନାଁ ବିଶ୍ୱସ୍ତରରେ ପହଞ୍ଚାଇ ଜନତାଙ୍କ ପ୍ରଥମ ପସନ୍ଦର ନେତା ପାଲଟିଥିଲେ । ତେଣୁ ପୂର୍ବ ଚୁକ୍ତି ଅନୁଯାୟୀ ୨୦୨୩ ପର୍ୟ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବା ପରିବର୍ତ୍ତେ ଏହାର ଅବଧିକୁ ଆଉ ୧୦ ବର୍ଷ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ଓଡ଼ିଶା ଓ ନବୀନଙ୍କୁ ମିଳୁଥିବା ଶ୍ରେୟରେ ଆଉ ହୁଏତ କେହି ଭାଗ ବସାଇବାକୁ ସୁଯୋଗ ପାଇବେ ନାହିଁ । ତେଣୁ ୨୦୨୪ ନିର୍ବାଚନରେ ହକିକୁ ହତିଆର କରି ନା କେବଳ ଓଡ଼ିଶାରେ ବରଂ ଜାତୀୟସ୍ତରରେ ମଧ୍ୟ ନବୀନ ବଡ ଭୂମିକାରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।