ଛତିଶଗଡ଼ରୁ ଛାତିଥରା ଖବର
ଛତିଶଗଡରୁ ଆସିଛି ଦୁଃଖଦ ଖବର । ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିବାରୁ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ୨ ଜଣ ସହିଦ ଯବାନଙ୍କର ମୃତଦେହ ମିଳିଥିବା ବେଳେ ଘଟଣାସ୍ଥଳରେ ଆହୁରି ୨୦ ସହିଦ ଯବାନଙ୍କ ମୃତଦେହ ପଡି ରହିଥିବା ସୂଚନା ମିଳିଛି । ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ନକ୍ସଲ ନିପାତ ହୋଇଛନ୍ତି ।
ସୁକମା ଓ ବିଜାପୁର ସୀମାସ୍ଥିତ ଟେକଲଗୁଡା ଗାଁ ନିକଟରେ ନକ୍ସଲଙ୍କ ସହିତ ଶନିବାର ଦିନ ହୋଇଥିବା ସଂଘର୍ଷରେ ୨୨ ଜଣ ଯବାନ ସହିଦ ହୋଇଥିବା ଖବର ମିଳୁଛି। ୩୦ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭ ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଗତକାଲିର ନକ୍ସଲଙ୍କ ଆମ୍ବୁସ ପରଠାରୁ କିଛି ଯବାନ ନିଖୋଜ ରହିଛନ୍ତି । ସେମାନଙ୍କ ୁଠାବ କରିବାକୁ ବିଜାପୁରରେ ବଡ ଧରଣର ସର୍ଚ ଅପରେସନ୍ ଆରମ୍ଭ ହୋଇଛି । ଛତିଶଗଡରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦିୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହେବା ସହ ଗୁଳି ବିନିମୟ ହୋଇଥିଲା । ଶନିବାର ୩ ଘଣ୍ଟା ଧରି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା।
ସେପଟେ ଗୁଳିବିନିମୟରେ ଯବାନ୍ ସହିଦ ହେବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ କରି ମୋଦି କହିଛନ୍ତି, ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି। ଏଥିସହ ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୋଦି।