ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍
ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ୍ ଅନୁସାରେ କଣ୍ଟେନ୍ମେଣ୍ଟ ଜୋନ୍ ଅଂଚଳରେ ଲକ୍ଡାଉନ୍ ଜାରି କରାଯାଇପାରିବ। ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି। କଣ୍ଟେନମେଣ୍ଟ୍ ଜୋନ୍ରେ ଅତ୍ୟାବଶ୍ୟକୀୟ କାର୍ୟ୍ୟ ସହ ଜରୁରୀ କାଳୀନସେବା ପାଇଁ ଅନୁମତି ରହିଛି।
ଗୋଟିଏ ପକ୍ଷରେ ଜାନୁଆରିରେ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ଯଥାକ୍ରମେ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଉପରେ ଛଡ଼ା ଯାଇଥିବା ବେଳେ ଜାନୁଆରି ୩୧ ପର୍ୟ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି। ଅନ୍ତର୍ଜାତୀୟ ବିମାନ ସେବା ଆଗାମୀ ଜାନୁଆରି ୩୧ ଯାଏ ବନ୍ଦ ରହିବ। କେବଳ ଗୃହ ମନ୍ତ୍ରାଳୟ ଦ୍ବାରା ଅନୁମୋଦିତ ଉଡାଣ ହୋଇପାରିବ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏହା ଅଧିନରେ ଥିବା ଶିକ୍ଷାନୁଷ୍ଠାନ ସଂପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଗାଇଡ଼ଲାଇନରେ ସ୍ପଷ୍ଟ କରାଯାଇଛି। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ଏସଓପି ଜାରି କରି ସ୍କୁଲ ଖୋଲାଯାଇପାରିବ।
ସାମାଜିକ, ସାଂସ୍କୃତିକ, ଧାର୍ମିକ, ଖେଳ, ମନୋରଞ୍ଜନ କାର୍ୟ୍ୟକ୍ରମରେ ୨୦୦ ଲୋକ ଏକତ୍ରିିତ ହୋଇପାରିବେ। ଜାନୁଆରିରେ ବିବାହ ସମାରୋହକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ୨୦୦ରୁ ଅଧିକ ଲୋକ ବିବାହ ସମାରୋହରେ ଏକତ୍ର ହୋଇପାରିବେ ନାହିଁ। ସେହିପରି ଅନ୍ତିମକ୍ରିୟାରେ ସର୍ବାଧିକ ୧୦୦ଜଣ ସାମିଲ ହୋଇପାରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ମାନିବା ଏବଂ ସାନିଟାଇଜ କରିବା ବାଧ୍ୟତାମୂଳକ ହେବ । କଟକଣା ଭିତରେ ଜିଲ୍ଲାପାଳଙ୍କ ଅନୁମତିରେ ସ୍ଥାନୀୟ ଧାର୍ମିକସ୍ଥଳୀ ଖୋଲା ଯାଇପାରିବ।
ଅନ୍ତରାଜ୍ୟ ମଧ୍ୟରେ ଯାତ୍ରୀବାହୀ ବସ ଚଳାଚଳ କରିବ। ବିଶେଷ କରି ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଛି। ହୋଟେଲ, ରେଷ୍ଟ୍ରୋରାଣ୍ଟ ଏବଂ ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ ନାହିଁ। ସର୍ବସାଧାରଣ ସ୍ଥାନରେ ନ୍ୟୁଇୟର ପାଇଁ ପାର୍ଟି କରି ପାରି ନାହିଁ। ଘରେ ରହି ପରିବାର ସହ ଜିରୋ ନାଇଟ୍ ସେଲିବ୍ରେସନ କରିବାକୁ ଏସ୍ଆରସି ପରାମର୍ଶ ଦେଇଛନ୍ତି।