ଓଡ଼ିଶାରେ ଫେରିଲା ନାଇଟ କର୍ଫ୍ୟୁ
ରାଜ୍ୟରେ ପୁଣି ଫେରିଲା ନାଇଟ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି । ରାତି ୯ରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ବଡ଼ଯାତ୍ରା,ଦୋଳ ଓ ହୋଲିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଓଡ଼ିଶାରେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ କଟକଣା ପୁଣି କଡ଼ାକଡ଼ି କରାଯାଉଛି । କରୋନାକୁ ମାତ୍ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ କୁହାଯାଇଛି । ମାଲକାନଗିରି ବଡ଼ଯାତ୍ରାରେ ଅନେକ ଲୋକଙ୍କ ସମାଗମ ହୋଇଥାଏ । ତେଣୁ ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ।ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତା ମୂଳକ ରହିଛି । ଯାତ୍ରା, ରାମଲୀଳା, ଦାଶିଆ ନାଚ ପରିବେଷଣ, ମୀନାବଜାର, ଫୁଡ ଷ୍ଟଲ, ପୋଷାକ ଆଦି ବିକ୍ରି ପାଇଁ ଅସ୍ଥାୟୀ ଷ୍ଟଲକୁ ମନା କରାଯାଇଛି ।। ସେହିପରି ସର୍ବସାଧାରଣ ସ୍ଥାନରେ ଦୋଳଯାତ୍ରାରେ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି ।