୪ ସହରରେ ନାଇଟ କର୍ଫ୍ୟୁ
ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୁଜୁରାଟ ସରକାର ୪ ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଅହମ୍ମଦାବାଦ, ବଡ଼ୋଦରା, ସୁରତ ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭ ତାରିଖ ସକାଳ ୬ଟା ଯାଏଁ ଲାଗୁ ହେଉଛି ମାର୍ଚ୍ଚ ୩୧ ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ଗାଡିମଟର ଚାଳାଚଳ ଉପରେ ମଧ୍ୟ କଟକଣା ରହିବ। ଏହାପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା କଡାକଡି କରିଥିଲେ। ପୁଣେ, ନାଗପୁର ଏବଂ ଔରଙ୍ଗାବାଦରେ ନାଇଟ କର୍ଫ୍ୟୁ ଘୋଷଣା ହୋଇଥିଲା।
ଦେଶରେ କରୋନା ଗ୍ରାଫ୍ ଉପରମୁହାଁ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୪ ହଜାର ୪୯୨ ନୂଆ ଆକ୍ରାନ୍ତ । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୯ ହଜାର ୮୩୧ରେ ପହଞ୍ଚିଛି । ଆଉ ୧୩୧ଜଣଙ୍କ ଜୀବନ ଯାଇଛି । ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୮୫୬ ଛୁଇଁଛି। କରୋନାରୁ ଆଉ ୨୦ ହଜାର ୧୯୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।