କାଲିଠୁ ନାଇଟ କର୍ଫ୍ୟୁ..ଜାଣନ୍ତୁ କ’ଣ ଖୋଲା,କ’ଣ ବନ୍ଦ?
ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ଜିଲ୍ଲାରେ ଲାଗୁ ହେବାକୁ ଯାଉଛି ନାଇଟ କର୍ଫ୍ୟୁ । ୨୦ଟି ଜିଲ୍ଲାରେ ରାତି ୯ ଟା ଠାରୁ ସକାଳ ୫ ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଏହା ସହ ସୀମାନ୍ତବର୍ତୀ ଅନ୍ୟ ୧୦ ଟି ଜିଲ୍ଲାରେ ସଂନ୍ଧ୍ୟା ୬ ରୁ ସକାଳ ୫ ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଟୁଇନସିଟିରେ ନାଇଟ କର୍ଫ୍ୟୁକୁ କଡାକଡି କରାଯିବ ।
ରାଜଧାନୀରେ ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସି ପକ୍ଷରୁ ଆହ୍ୱାନ ଦିଆଯାଇଛି । ବିଏମସି କହିଛି ଯେ, ନାଇଟ୍ କର୍ଫ୍ୟୁକୁ ନେଇ କେହି ଭୟଭିତ ହେବାର କିଛି କାରଣ ନାହିଁ । ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶକୀୟ ସେବା ଜାରି ରହିବ । କେହି ଯେମିତି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି ସେନେଇ ବିଏମସି ସତର୍କ ଥିବା କଥା କହିଛି । ଅନ୍ୟପଟେ କର୍ଫ୍ୟୁକୁ ନଜରରେ ରଖି ବଜାରରେ ଭିଡ ପରିଲକ୍ଷିତ ହୋଇଛି । ତେଣୁ ବଜାରରେ ଭିଡ କରିବା ପରିବର୍ତ୍ତେ ସମସ୍ତେ ଅନଲାଇନ୍ ଓ ହୋମ ଡେଲିଭରି ବ୍ୟବସ୍ଥାର ସୁଯୋଗ ନିଅନ୍ତୁ । ମେଡିକାଲ ସର୍ଭିସ ଓ ଏୟାରପୋର୍ଟ ପାଇଁ ଟାକ୍ସି ବ୍ୟବସ୍ଥା ରହିଛି । ତେଣୁ ଲୋକମାନେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ନିଜକୁ ସୁରକ୍ଷିତ ରଖିବା ସହ ସରକାରଙ୍କୁ ସହାୟତା କରନ୍ତୁ ବୋଲି ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।
ନାଇଟ୍ କର୍ଫ୍ୟୁବେଳେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍ ପରିବହନ ଜାରି ରହିବ । ଜଳଯୋଗାଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ସେବା, ଏଲ୍ପିଜି ଗ୍ୟାସ ବିତରଣ, ଟେଲିକମ, ଫୁଡ୍ ଡେଲିଭରି ସଂସ୍ଥା, ଆଇଟି କମ୍ପାନି, ନିର୍ମାଣ କାର୍ୟ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ। ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ ।