ବାଇ-ଲ’ ବିବାଦ: ଏକାଠି ହେଲେ ରାଜଧାନୀବାସୀ
ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ଏନଏମଏ ଜାରି କରିଥିବା ବାଇ-ଲ‘କୁ ନେଇ ଦେଖା ଦେଇଥିବା ଅସନ୍ତୋଷ ବଢିବାରେ ଲାଗିିଛି । ବାଇ-ଲ’ ପ୍ରତ୍ୟାହାର ଦାବିରେ ଏକାଠି ହେଲେ ରାଜଧାନୀବାସୀ । ଜାତୀୟ ସ୍ମାରକ କତୃପକ୍ଷଙ୍କ ବାଇ-ଲକୁ ଭୁବନେଶ୍ୱରବାସୀ କଡ଼ା ବିରୋଧ କରିଛନ୍ତି । ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବି କରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସାମୂହିକ ଦୀପ ଦାନ କରିଛନ୍ତି ହଜାର ହଜାର ଲୋକ । ପ୍ରାୟ ୧୦ ହଜାର ଭୁବନେଶ୍ୱର ବାସିନ୍ଦା ଦୀପ ଦାନ କରି ତୁରନ୍ତ ବାଇ-ଲ’କୁ ହଟାଇବାକୁ ଦାବି କରିଛନ୍ତି ।
ଜାତୀୟ ସ୍ମାରକୀ କତୃପକ୍ଷଙ୍କ ବାଇ-ଲ’ ବିରୋଧରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ବାଇ-ଲ’କୁ ବିରୋଧ କରି ପ୍ରାୟ ୧୦ ହଜାର ଦୀପ ଜଳାଇ ପୁରୀ ଭଳି ଏକାମ୍ର କ୍ଷେତ୍ରରୁ ମଧ୍ୟ ବାଇ-ଲକୁ ପ୍ରତ୍ୟାହାର କରିବାକୁ ଲୋକେ ଦାବି କରିଛନ୍ତି । ବାଇ-ଲ ପ୍ରତ୍ୟାହାର ନହେଲେ ଆଗକୁ ବିରୋଧ ଭୁବନେଶ୍ୱରରୁ ଯାଇ ଦିଲ୍ଲୀରେ ପହଚିଂବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ରାଜ୍ୟ ସରକାରଙ୍କ ସହ କଂଗ୍ରେସ ଦଳ ଓ ସେବାୟତ ମଧ୍ୟ ଏହି ବାଇ-ଲ’କୁ ବିରୋଧ କରିଆସୁଛନ୍ତି । ଏକାମ୍ର କ୍ଷେତ୍ରର ବିକାଶରେ ପ୍ରସ୍ତାବିତ ବାଇ-ଲ’ ବାଧକ ସାଜିବ ବୋଲି ଅଭିଯୋଗ ହୋଇଛି । ଜାତୀୟ ସ୍ମାରକୀ କତୃପକ୍ଷ ଏକ ଡ୍ରାଫ୍ଟ ବାଇ-ଲ ପ୍ରସ୍ତୁତ କରି ବିଭିନ୍ନ କଟକଣା ଜାରି କରିଛନ୍ତି ।ଏହି କଟକଣା ଅନୁସାରେ ୧୦୦ ମିଟର ପର୍ଯ୍ୟନ୍ତ କୌଣସି ସରକାର କିମ୍ବା ବେସରକାରୀ ନିର୍ମାଣ ହୋଇପାରିବ ନାହିଁ । ଏବଂ ଆଉ ୨୦୦ ମିଟର ପର୍ଯ୍ୟନ୍ତ କୌଣସି ବି ନିର୍ମାଣ ପାଇଁ ଜାତୀୟ ସ୍ମାରକ କତୃପକ୍ଷଙ୍କ ଅନୁମତି ନେବାକୁ ହେବ ।
ସେପଟେ ମୁଖ୍ୟମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର । ଏଭଳି କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ପରାମର୍ଶ ନେବା ଦରକାର ଥିଲା ବୋଲି ନବୀନ ଟୁଇଟରେ ଲେଖିଛନ୍ତି । ଏବଂ ଓଡିଶାର ସମସ୍ତ ସାଂସଦ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ କହିଛନ୍ତି ନବୀନ ।