ବିପଦ ବଢାଇବେ କି ବ୍ରିଟେନ ଫେରନ୍ତା?
ବ୍ରିଟେନରେ ଠାବ ହୋଇଥିବା କରୋନାର ନୁଆ ପ୍ରକାର ପୁରା ବିଶ୍ୱ ସାମ୍ନାରେ ଆହ୍ୱାନ ସୃଷ୍ଟି କରିଛି । ଖାସ କରି ଏହାର ସଂକ୍ରମଣର ମାତ୍ରା ଅଧିକ ଥିବାରୁ ଚାରିଆଡେ ମାତ୍ରାଧିକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଦେଶରେ ଏଯାଏଁ ୨୫ ଜଣଙ୍କ ଠାରେ ବ୍ରିଟେନ ଭୁତାଣୁ ଚହିହ୍ନଟ ହୋଇଥିବା ସୁଚନା ମିଳିଛି । ଏହାର ଅର୍ଥ ହେଲା ବ୍ରିଟେନ ଭୁତାଣୁ ଭାରତକୁ ଆସିସାରିଛି । ତେଣୂ ଏହାର ସଂକ୍ରମଣକୁ କିଭଳି କମ୍ କରି ରଖାଯିବ, ତାଉପରେ ବେଶ ଜୋର ଦିଆଯାଉଛି ।
ଓଡିଶା ସରକାର ମଧ୍ୟ ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ବ୍ରିଟେନରୁ ଓଡିଶାକୁ ୧୮୮ ସଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୯ ଜଣଙ୍କୁ ଚିହ୍ନଟ କରାଯାଇ ସାରିଛି ଏମାନଙ୍କ ମଧ୍ୟରୁ ୧୬୦ ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ୭ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି । ୪ ଜଣ ବ୍ରିଟେନ ଫେରନ୍ତା ଏବଂ ସେମାନଙ୍କର ୩ ଜଣ ସଂପର୍କୀୟ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଏମାନଙ୍କ ଶରୀରରେ ବ୍ରିଟେନ ଭୁତାଣୁ ଅଛି କି ନାହିଁ, ସେନେଇ ବିଶଦ ତଥ୍ୟକୁ ଅପେକ୍ଷା କରାଯାଇଛି । ବ୍ରିଟେନ ଫେରନ୍ତା ଏବଂ ସେମାନଙ୍କ ସଂପର୍କୀୟ ଏଭଳି ୨୦୪ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି । ପଜିଟିଭ ଆସିଥିବା ଲୋକଙ୍କ ମଧ୍ୟରୁ ୬ ଜଣଙ୍କର ସାମ୍ପୁଲ ଜେନମ୍ ଷ୍ଟଡି ପାଇଁ ପଠାଯାଇଥିବା ସୁଚନା ମିଳିଛି ।
ଏହାରି ଭିତରେ କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ବଡ ସୁଚନା ଗଣମାଧ୍ୟମକୁ ଦେଇଛନ୍ତି । ତାଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଏଯାଏଁ ବ୍ରିଟେନ ଭୁତାଣୁ ଚିହ୍ନଟ ହୋଇନାହାନ୍ତି । କିନ୍ତୁ ସରକାର ଏହି ଦିଗ ଉପରେ ସତର୍କ ଦୃଷ୍ଟି ରଖିଥିବା ସେ ସୂଚନା ଦେଇଛନ୍ତି ।
ବଡ କଥା ହେଉଛି, ପୂର୍ବରୁ ରାଜ୍ୟ ସରକାର କିଛି ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ପାଇପାରୁନଥିଲେ । କିଛି ଲୋକ ଭୁଲ ତଥ୍ୟ ଦେଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା । ବ୍ରିଟେନ ଫେରନ୍ତାଙ୍କୁ ଠାବ କରି ତୁରନ୍ତ ସେମାନଙ୍କର ଟେଷ୍ଟ କରିବା ଉପରେ ରାଜ୍ୟ ସରକାର ଜୋର ଦେଉଛନ୍ତି । ଯେଉଁମାନଙ୍କ ଠାରେ ଲକ୍ଷଣ ଦେଖିବାକୁ ମିଳୁଛି ସେମାନଙ୍କୁ ସଂଗରୋଧରେ ରଖିବା ସହ ଭୁତାଣୁ କିଭଳି ଅଧିକ ନବ୍ୟାପିବ ସେଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଏହାରି ଭିତରେ ଖୁବଶୀଘ୍ର ଭାରତରେ ଟିକାକରଣ ଆରମ୍ଭ ହେବ ବୋଲି ସୁଚନା ମିଳିଛି ।