ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ
ଆଜିଠୁ ପୌର ନିର୍ବାଚନ ନାମାଙ୍କନ । ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ଆରମ୍ଭ ହେବ । ମହାନଗର ନିଗମ, ପୌରପାଳିକା ଓ ଏନ୍ ଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ନିର୍ବାଚନ ପାଇଁ ହେବାକୁ ଯାଉଛି ନାମାଙ୍କନ। ସ୍ଥାନୀୟ ଏଡିଏମ ଅଫିସରେ ନାମାଙ୍କନ ପତ୍ର ଦାଖଲ ହେବ ।
ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ହେବ । ଏହି ପ୍ରକ୍ରିୟା ୭ ତାରିଖ ଯାଏଁ ଚାଲିବ । । ୯ ତାରିଖରେ ନାମାଙ୍କନ ପତ୍ର ଯାଂଚ ହେବ । ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଭୋଟ୍ ହେବ । ଏହିଦିନ ୩ ମହାନଗର କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଓ ୧୦୬ ପୌରପରିଷଦ ପାଇଁ ହେବ ଭୋଟ୍ । ମାର୍ଚ୍ଚ ୨୬ରେ ଭୋଟ ଗଣତି କରାଯିବ । ଏପ୍ରିଲ ୭ତାରିଖରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ।୮ରେ ଡେପୁଟୀ ମେୟର ନିର୍ବାଚନ ହେବ ।
୧୦୬ଟି ପୌରପରିଷଦର ମୋଟ ୧୭୩୧ ୱାର୍ଡର ୩ହଜାର ୩୦ଟି ବୁଥରେ ନିର୍ବାଚନ ହେବ । ମୋଟ ୨୭ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ । ସେହିଭଳି ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥରେ ନିର୍ବାଚନ ହେବ । ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।