ଲକଡାଉନ ଲାଗିଲା, କମିବ ସଂକ୍ରମଣ!
କାମ ଦେଲାନି ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ । ଶେଷରେ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ଶେଷ ବିକଳ୍ପ ଗ୍ରହଣ କଲେ ସରକାର । ଓଡିଶାରେ ଲାଗୁ ହେଲା ଲକଡାଉନ । ରାଜ୍ୟରେ ୧୪ ଦିନିଆ ଲକଡାଉନ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ସରକାର ।
ମେ’୫ରୁ ୧୯ପର୍ୟ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ। ମେ ୫ ତାରିଖ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ୟ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ। ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ ।
ଲକଡାଉନ ବେଳେ ଲୋକେ କେବଳ ଚାଲି ଚାଲି ପରିବା ପାଇଁ ଯାଇପାରିବେ। ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ। ଏହି ସମୟରେ ପୁଲିସ ପକ୍ଷରୁ ଜୋରଦାର ଚେକିଂ ଓ ବ୍ଲକିଂ କରାଯିବ । ଟ୍ବିନସିଟିରେ ପାଟ୍ରୋଲିଂ ଆହୁରି କଡାକଡି ଭାବେ ପାଳନ ହେବ । ଅମାନିଆଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ।