ସରଗରମ ରହିବ ବିଧାନସଭା
ସରଗରମ ରହିବ ବିଧାନସଭା । ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ତିନି ରାଜନୈତିକ ଦଳର ରଣନୀତି ପ୍ରସ୍ତୁତ । ବିରୋଧୀ ସୀମା ବିବାଦ,ବାଇ-ଲ ଓ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ଗୃହରେ ଉଠାଇବାକୁ ଯୋଜନା କରୁଥିବାବେଳେ ବିଧାନସଭାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି । ସେହିପରି ଚାଷୀ ସମସ୍ୟା , ପାଣି ସମସ୍ୟା, ତେଲ ଦର ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ଗୁରୁତ୍ୱ ଦେଇ ଆଲୋଚନା କରିବାକୁ ଆହ୍ୱାନ ଦେଇଛି ।
ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ଜୋର ଧରିବ ସୀମା ବିବାଦ ତାତି । ଓଡିଶା ସୀମା ଭିତରେ ପ୍ରବେଶ କରି ଆନ୍ଧ୍ର ପଂଚାୟତ ନିର୍ବାଚନ କରାଇଛି । ପୂର୍ବରେ ପଶ୍ଚିମ ବଙ୍ଗ ବାଲି ଚୋରି କରୁଥିବା ବେଳେ ଉତରରେ ଝାଡଖଣ୍ଡ ପାହାଡ ଚୋରି କରୁଛନ୍ତି । ଅନ୍ୟପଟେ ପଶ୍ଚିମରେ ଛତିଶଗଡ ରାଜ୍ୟପାଇଁ ପାଣିସମସ୍ୟା କରିଥିବା ବେଳେ ଆନ୍ଧ୍ର ଦକ୍ଷିଣରେ ଓଡିଶା ଭିତରକୁ ମାଡି ବସୁଛି । କେବଳ ସୀମା ବିବାଦ ନୁହେଁ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ବିରୋଧୀ ଯୋଜନା ପ୍ରସ୍ତୁତ କରିଛନ୍ତି । ସେହପରି ବିଧାନସଭାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି । କୋଇଲା ରୟାଲିଟି, ଜିଏସଟି ବକେୟା ଅର୍ଥ ପ୍ରଦାନରେ ବିଳମ୍ବ, ସ୍ୱାମୀନାଥନ କମିଟି ରିପୋର୍ଟ କାର୍ୟ୍ୟକାରୀ କରିବା ପ୍ରସଙ୍ଗ ଉଠାଯିବ । ଏଥିସହ ବର୍ଷକୁ ୧୨ ହଜାର କୋଟି ଟଙ୍କା ହିସାବରେ ପାଞ୍ଚ ବର୍ଷରେ କେନ୍ଦ୍ର ୬୦ ହଜାର କୋଟି ଟଙ୍କା କାଟିଛି । ଏହି ପ୍ରସଙ୍ଗ ଗୃହରେ ଉଠିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସୂଚନା ଦେଇଛନ୍ତି ।
ଚଳିତ ଅଧିବେଶନରେ ୫ ଘଣ୍ଟା ଚାଲିବ ଗୃହ। ବିଧାନସଭାର ସର୍ବଦଳୀୟ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ବିଧାନସଭା ମୁଳତବୀ ଆଲୋଚନା ସମୟ ଦେଢ଼ ଘଣ୍ଟାକୁ ବୃଦ୍ଧି କରାଯାଇଛି। ପୂର୍ବ ପରି ଗୃହ କାର୍ୟ୍ୟ ଦୈନିକ ୪ ଘଣ୍ଟା ୩୦ମିନିଟ୍ ଚାଲିବ । ପ୍ରଥମାର୍ଦ୍ଧରେ ୧୦ଟା ୩୦ମିନିଟରୁ ୧ଟା ୩୦ମିନିଟ୍, ଦ୍ବିତୀୟାର୍ଦ୍ଧରେ ୪ଟାରୁ ୬ଟା ପର୍ୟ୍ୟନ୍ତ ଚାଲିବ। ପୂର୍ବ ଅଧିବେଶନରେ କରୋନା କଟକଣା ଯୋଗୁଁ ପ୍ରଶ୍ନକାଳ ନଥିବା ବେଳେ ଏଥର ପ୍ରଶ୍ନ କାଳ ରହିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତି ହୋଇଛି ।