ବଜେଟ କହିବ ବିକାଶର କଥା ?
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ହେବ ରାଜ୍ୟ ବଜେଟ । ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ କରୋନା କାଳର ସମସ୍ତ ପ୍ରତିକୁଳ ପରିସ୍ଥିତି ଭିତରେ, ସମଗ୍ର ରାଜ୍ୟ ପାଇଁ ବ୍ୟବରାଦ କରିବେ । କେଉଁ ବିଭାଗକୁ କେତେ ଅର୍ଥ ମିଳିବ, ସ୍ୱାସ୍ଥ୍ୟର ଭିତ୍ତିଭୁମି ବଢାଇବାକୁ କଣ ବ୍ୟବସ୍ଥା ଆପଣାଯାଉଛି, କରୋନା କାଳରେ ହୋଇଥିବା ରାଜସ୍ୱ କ୍ଷତିକୁ ଭରଣା କରିବାକୁ ନୁଆ କିଛି ବ୍ୟବସ୍ଥା ଆପଣାଇବେ କି ସରକାର, କେତେ ଟଙ୍କାର ଋଣ କରିବେ, ସେହି ଅର୍ଥକୁ କିଭଳି ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ବ୍ୟବହାର କରିବେ ଏମିତି ଅନେକ ଆହ୍ୱାନ ଭିତରେ ବଜେଟ ଆସିବାକୁ ଯାଉଛି । କେନ୍ଦ୍ର ବଜେଟ ଆସି ସାରିଥିବାରୁ ରାଜ୍ୟ କେନ୍ଦ୍ରରୁ କେତେ ଅର୍ଥ ପାଇବ ତାହା ସ୍ପଷ୍ଟ ହୋଇଯାଇଛି । ଅନୁମାନ କରାଯାଉଛି ଗତ ଆର୍ଥିକ ବର୍ଷ ତୁଳନାରେ ପାଖାପାଖି ୧୪ ହଜାର କୋଟି ଟଙ୍କାର କ୍ଷତି ରାଜ୍ୟ ସହିବାକୁ ଯାଉଛି । ତେଣୁ ଏହି ଅର୍ଥକୁ କେଉଁଠାରୁ ଅଣାଯିବ ତାହା ଏକ ଚ୍ୟାଲେଂଜ ହୋଇ ରହିବ ।
ସେହିଭଳି ଆଗକୁ ପଂଚାୟତ ଆଉ ସହର ଭୋଟ ଅଛି । ତେଣୁ ଗ୍ରାମାଂଚଳ ଆଉ ସହରାଂଚଳ ପାଇଁ ନୁଆ କିଛି ବ୍ୟବସ୍ଥା ଆପଣାଇବାକୁ ସରକାର ଚାହିଁବେ ନା ନାହିଁ । ଯଦି ଉଦ୍ୟମ କରିବେ ତେବେ କଣ ସେହି ଯୋଜନା ରହିବ ତାହା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଅନୁମାନ କରାଯାଉଛି ନୁଆ ଏକ ସହରୀ ଯୋଜନା କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଅପରପକ୍ଷରେ ଅନେକ ମନ୍ଦିରର ବିକାଶ ପାଇଁ ଫଣ୍ଡକୁ ସରକାର କିଭଳି କାର୍ଯ୍ୟକାରୀ କରାଉଛନ୍ତି ତାଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । କଟକ ବଡ ମେଡିକାଲର କାମ ଠାରୁ ଆରମ୍ଭ କରି ବରମୁଣ୍ଡା ଏବଂ ବାଦାମବାଡି ବସଷ୍ଟାଣ୍ଡର ଅଧୁନୀକିକରଣ ବାବଦରେ ମଧ୍ୟ ବ୍ୟୟବରାଦ ହେବ । ତେଣୁ କରୋନା କାଳରେ ରାଜସ୍ୱ ନିଅଂଟିଆ ଥିବା ବେଳେ ସରକାର କ୍ଷତି ଭରଣା କିଭଳି କରିବେ ବ୍ୟୟବରାଦ କରିବେ ତାହା ନିହାତି ଆହ୍ୱାନଭରା ହେବ ।
ବର୍ତ୍ତମାନର ସମୟରେ ଗୋଟିଏ ଟଙ୍କାର ବ୍ୟୟ ମଧ୍ୟ ଅର୍ଥନୀତିକୁ ଗତିଶୀଲ କରିବା ପାଇଁ ବ୍ୟବହାର ହେବା ଉଚିତ । ଭିତ୍ତିଭୁମି ବିକାଶ ଜରିଆରେ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଗଲେ ଅର୍ଥନୀତି ଗତିଶୀଳ ହେବ । ଯାହା ବର୍ତ୍ତମାନର ସମୟରେ ଜରୁରୀ ମଧ୍ୟ । ଗ୍ରାମାଂଚଳର ଅର୍ଥନୀତି ଉପରେ କରୋନାର ଏକ ନକରାତ୍ମକ ପ୍ରଭାବ ପଡିଛି । ତେଣୁ ଲୋକଙ୍କ ପକେଟକୁ କିଭଳି ଅର୍ଥ ଆସିବ, ତାହା ଅନେକାଂଶରେ ସରକାରଙ୍କ ଦୁରଦୃଷ୍ଟି ଉପରେ ନିର୍ଭର କରୁଛି ।
ରାଜ୍ୟ ସରକାର ଅଲଗା ଭାବେ କୃଷି ବଜେଟ ଆଣୁଛନ୍ତି । କେନ୍ଦ୍ରରେ ସରକାର ବନାମ ଚାଷୀ ସ୍ଥିତି ସୃଷ୍ଟି ହୋଇଛି । ତେଣୁ କୃଷକଙ୍କ ପାଇଁ ମଧ୍ୟ କାଳିଆ ଯୋଜନାରେ ଯେଉଁ ଅର୍ଥ ଯାଉଛି ସେନେଇ ମଧ୍ୟ ବ୍ୟୟବରାଦର ଆବଶ୍ୟକତା ରହୁଛି । କରୋନା ସମୟରେ ଜରୁରୀକାଳିନ ସ୍ଥିତି ଦର୍ଶାଇ ସରକାର ବିଭିନ୍ନ ଫଣ୍ଡରେ ଥିବା ଟଙ୍କା ଆଣି ଖର୍ଚ୍ଚ କରିଚାଲିଥିଲେ । ଏହି ବଜେଟରେ ସେହି ଅର୍ଥ ଫଣ୍ଡ ଗୁଡିକୁ ଫେରାଇଦେବା ପାଇଁ ମଧ୍ୟ ବ୍ୟୟବରାଦ ହେବ । ମୋଟ ଉପରେ କହିବାକୁ ଗଲେ ସରକାରଙ୍କ ପାଇଁ ଏହି ବଜେଟ ଉପସ୍ଥାପନ କଲାବେଳେ ଅନେକ ଚ୍ୟାଲେଂଜ ରହିବ । ତେବେ କରୋନା ଭଳୀ ସଂକଟଜନକ ସ୍ଥିତିରୁ ରାଜ୍ୟକୁ ବାହାରକୁ ଆଣିଥିବା ସରକାର ବଜେଟକୁ କିଭଳି ଉପସ୍ଥାପନ କରୁଛନ୍ତି ଆଉ ଆହ୍ୱାନକୁ ପଛକୁ ଠେଲି ଆଗକୁ ବଢୁଛନ୍ତି, ତାଉପରେ ଅର୍ଥନୀତିଜ୍ଞଙ୍କ ନଜର ରହିଛି ।