୨୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର
ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସରକାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ସରକାର କେବଳ ୮ଟି ପ୍ରକଳ୍ପ ପାଇଁ ୧୨୪୨ କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି ।
ମହିଳା ଶିଶୁ କଲ୍ୟାଣ, କୃଷି, ମିଶନ ଶକ୍ତି, ସାମାଜିକ ସୁରକ୍ଷା ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏଥିସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ନିଯୁକ୍ତି ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ ୨୦୨୧ ଘୋଷଣା ହୋଇଛି । ହସ୍ତଶିଳ୍ପ କ୍ଷେତ୍ରରେ ନିଯୁକ୍ତି ହେଲେ ସେହି ବିଭାଗ ଅଧିନରେ ରହି କାର୍ୟ୍ୟ କରିବେ । ପୂର୍ବରୁ ହସ୍ତଶିଳ୍ପ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସେହି ବିଭାଗ ଅଧିନରେ ଥିଲେ । ମାଜିକ ସୁରକ୍ଷା ପାଇଁ ପ୍ରସ୍ତାବକୁ କ୍ୟାବିନେଟରେ ମୋହର ବାଜିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରର୍ୟ୍ୟାୟକ୍ରମେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହେବ । ପ୍ରଥମ ପର୍ୟ୍ୟାୟରେ ୧୦ଟି ଜିଲ୍ଲାରେ ପ୍ରକଳ୍ପ ନିର୍ମାଣ ହେବ ।
କୋଭିଡ-୧୯ର ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ନିଷ୍ପତ୍ତି ନେବାକୁ ଓ ସମସ୍ତ ଜରୁରୀକାଳୀନ କ୍ରୟକୁ ଆବଶ୍ୟକତା, ତତ୍ପରତା ଓ ଏହି କ୍ରୟର ଯଥାର୍ଥତା ଯାଂଚ ପରେ ଅନୁମୋଦନ ପାଇଁ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାସମ୍ପନ୍ନ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। ଏହି କମିଟିର ୧୧ଥର ବୈଠକ ବସିସାରିଛି । ୨୦୨୦ ସେପ୍ଟେମ୍ବର ୨ତାରିଖ ପର୍ୟ୍ୟନ୍ତ ଉପରୋକ୍ତ କ୍ଷମତାସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟି ନେଇଥିବା ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ କରିଥିଲେ। କୋଭିଡ୍ ନିୟନ୍ତ୍ରଣ ପାଇଁ ଏହି କମିଟି ୨୦୨୦ ଡିସେମ୍ବର ୧୬ତାରିଖରେ ନେଇଥିବା ନିଷ୍ପତ୍ତିକୁ ଆଜି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଆରୁଖ ସୂଚନା ଦେଇଛନ୍ତି। ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ହୋଇପାରେ ବୋଲି ସୂଚନା ମିଳିଛି । ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆସନ୍ତା ୨୨ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ ।