ମୋଦିଙ୍କ ପାଇଁ ନବୀନଙ୍କ ବାର୍ତ୍ତା!
ଚାଷୀ ଆନ୍ଦୋଳନ ଚରମ ସୀମାରେ । ସରକାରଙ୍କ ସହ ଆଲୋଚନାରୁ ସୁଫଳ ମିଳୁନାହିଁ । ଦିଲ୍ଲୀକୁ ଅଚଳ କରିବା ଦାବିରେ ଅଡି ବସିଛନ୍ତି ଚାଷୀ । ଧାରଣା ଆଉ ପ୍ରତିବାଦର ଡାକରା ବି ଦେଇ ସାରିଛନ୍ତି । ଅଉ ଏହାରି ଭିତରେ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଏକ ବଡ ବାର୍ତ୍ତା । ଯେଉଁ ଏମଏସପିକୁ ନେଇ ଚାଷୀ ଆନ୍ଦୋଳନ କରୁଛନ୍ତି, ସେହି ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ଏକ ପ୍ରସ୍ତାବ ପାରିତ କରିଛି । ଯେଉଁଥିରେ କୁହାଯାଇଛି ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଅର୍ଥାତ୍ ଦ୍ୱିଗୁଣିତ କରିବାକୁ ସର୍ବନିମ୍ନ ସହାୟକ ମୂଲ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଚାଷୀଙ୍କ ଆନ୍ଦୋଳନକୁ ଆହୁରି ମଜଭୁତ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ବଡ ବାର୍ତ୍ତା ଦେଇଛି ।
ରାଜ୍ୟ ସରକାର ତାଙ୍କ ସଂକଳ୍ପରେ କହିଛନ୍ତି, ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚ ଠାରୁ ଅତିକମରେ ୫୦ ପ୍ରତିଶତ ଅଧିକ ହେବା ଉଚିତ । ଅର୍ଥାତ୍ ଆଜିର ଦିନରେ ଯେତିକି ଏମଏସପି ଚାଷୀ ପାଉଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ସରକାର ସିଧାସଳଖ ବାର୍ତ୍ତା ଦେଇଛନ୍ତି । ନୂଆ କୃଷି ଆଇନରେ ଏମଏସପି କଥା ଉଲ୍ଲେଖ ନଥିବା ବେଳେ ମଣ୍ଡି ବାହାରେ ମଧ୍ୟ ଚାଷୀ ଉତ୍ପାଦ ବିକ୍ରି କରିପାରିବେ ବୋଲି ପ୍ରାବଧାନ ରଖିଥିବାରୁ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି । ଚାଷୀଙ୍କ ମନରେ ସନ୍ଦେହ ରହିଛି, ସେମାନେ ହୁଏତ ଆଗକୁ ସେମାନଙ୍କ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ ନାହିଁ । ଯେଉଁଥିପାଇଁ ଆନ୍ଦୋଳନ ଜୋରଦାର ହେଉଛି ।
ପୂର୍ବରୁ ରାଜ୍ୟ ବିଧାନସଭାରେ ମଧ୍ୟ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା । ଯେଉଁଥିରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କୁହାଯାଇଥିଲା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କଇଣ୍ଟାଲ ପିଛା ୨୯୩୦ ଟଙ୍କା କରାଯାଉ । ହେଲେ ଏହାରି ତୁଳନାରେ ଏବେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ଯଥେଷ୍ଟ କମ ରହିଛି । ଆଉ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ବଳରେ ନବୀନ ଯେଉଁ କାର୍ଡ ଖେଳିଛନ୍ତି ତାକୁ ନେଇ ସମୀକ୍ଷା ଆରମ୍ଭ ହୋଇଛି । କୁହାଯାଉଛି ଚାଷୀଙ୍କ ଆନ୍ଦୋଳନକୁ ସିଧାସଳଖ ସମର୍ଥନ ନଦେଇ ମୋଦି ସରକାରଙ୍କ ବିରୋଧରେ ଗଲେନି ନବୀନ ଆଉ ପରେ ପରେ ଏମସପି ପ୍ରସଙ୍ଗରେ ସ୍ୱାମୀନାଥନ କମିଶନ ରିପୋର୍ଟକୁ ସାମ୍ନାକୁ ଆଣି ଚାଷୀଙ୍କ ମନ ଜିିଣିବାକୁ ଉଦ୍ୟମ ଆରମ୍ଭ କଲେ । ରାଜ୍ୟ ଚାଷୀ ଏକ ବଡ ଭୋଟ ବ୍ୟାଙ୍କ ହୋଇଥିବାରୁ ଏହି ଅବସରକୁ ସୁଯୋଗରେ ପରିଣତ କରିବାକୁ ନବୀନ ପଛଘୁଂଚା ଦେବା ବଦଳରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ମୋଦିଙ୍କୁ ପରୋକ୍ଷରେ ବାର୍ତ୍ତା ଦେଇ କହିଛନ୍ତି, ଓଡିଶା ଚାଷୀଙ୍କ ସହ ଅଛି, ଏମଏସପି ସହ ଅଛି ।