THE BYAPINI

ଭୋକର ଭୂଗୋଳ ରାଜ୍ୟର ଭାତହାଣ୍ଡି

Get real time updates directly on you device, subscribe now.

ବିକାଶ ପଥେ କଳାହାଣ୍ଡି । ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମଓଡିଶା । କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
କଳାହାଣ୍ଡି ଗସ୍ତରେ ଯାଇ ଉପର ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ନବୀନ। କରୋନା ଲକଡାଉନ ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ଗସ୍ତ। ଏହି ଜଳସେଚନ ପ୍ରକଳ୍ପ କାର୍ୟ୍ୟକାରୀ ହେବା ଦ୍ବାରା ଏବେ ୯୦ଟି ଗାଁ ଉପକୃତ ହେବେ। କଳାହାଣ୍ଡି ଗରିବୀରର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ।

ଓଡ଼ିଶାର ଭାତହାଣ୍ଡି ହୋଇଛି କଳାହାଣ୍ଡି। ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକି ସେତିକି ଚାଉଳ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ କଳାହାଣ୍ଡିକୁ ବିଜୁ ପଟ୍ଟନାୟକଙ୍କ କଳାହାଣ୍ଡି ସହ ଥିବା ସଂପର୍କର ସ୍ମୃତି ଚାରଣ କରିଥିଲେ। କଳାହାଣ୍ଡି ଜିଲ୍ଲାର ସାଲେଭଟା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ଚମ୍ପାଦେଈପୁର ବୃହତ ଉଠାଜଳସେଚନ ପ୍ରକଳ୍ପ, ଗୋପୀନାଥପୁର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଟେରାଙ୍ଗସିଲ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ସାନ୍ଦୁଲ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାଶୀପୁର ୨୨୦-୩୩ କେଭି ଗ୍ରୀଡରୁ ଏକ ବିକଳ୍ପ ୩୩ କେଭି ଫିଡର୍‌ ଲାଇନ ଥୁଆମୂଳ ରାମପୁରକୁ ସଂଯୋଗ କରିବ । ଏଥିପାଇଁ ୪ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲରେ ୫୨ କୋଟି ଟଙ୍କାରେ ୧୩୨-୩୩ କେଭି ଗ୍ରୀଡ ସବଷ୍ଟେସନ, ଦଶପୁରରୁ ମଖଲା ପର୍ୟ୍ୟନ୍ତ ତେଲନଦୀ କୂଳରେ ୧୧ କେଭିର କୃଷି ଫିଡର୍‌ ଲାଇନ ସମେତ ବହୁ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।

କଳାହାଣ୍ଡିର ଚାଷୀ ତଥା ସମସ୍ତ ଜନସାଧାରଣଙ୍କ ଦୃଢ ଇଚ୍ଛା ଶକ୍ତି ଗଭୀର ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ ଏ ସବୁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ସଂଗ୍ରହ ଋତୁରେ କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦ କୋଟି ଟଙ୍କା ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ଜଳସେଚନ ସୁବିଧା ୩ ଗୁଣ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ସାରା ଦେଶରେ ସବୁଠାରୁ ଭଲ ପ୍ରଦର୍ଶନ କରିଛି। ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ ଶ୍ରେଷ୍ଠ ଜିଲ୍ଲାର ମର୍ୟ୍ୟାଦା ଲାଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.