ଋଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ
ପୁଣି ପଦାରେ ପଡିଲା କଂଗ୍ରେସ କଳି । ଋଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ । କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସାଧାରଣ ପରିଷଦ ବୈଠକ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ ଭବନରେ ଓବିସି ସେଲର ବୈଠକ ବସିବାର ଥିଲା । ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ ଏହି ବୈଠକ ଡାକିଥିଲେ । ଏଥିରେ ଦଳର ବରିଷ୍ଠ ନେତା ଯୋଗଦେବାର ଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ । ତେବେ ବିଷ୍ଣୁ ବାରିକଙ୍କୁ ନେଇ କଂଗ୍ରେସ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ଓବିସି ସେଲର ବୈଠକ ପୂର୍ବରୁ କଂଗ୍ରେସ ଭବନରେ ତୁମୁଳକାଣ୍ଡ । ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ତାଲା ପକାଇ ଦେଇଥିଲେ ଗୋଟିଏ ଗୋଷ୍ଠୀ। ଦଳ ବିରୋଧୀ କାମ ଅଭିଯୋଗରେ ବିଷ୍ଣୁ ବାରିକଙ୍କ ବିରୋଧରେ ସ୍ବର ଉଠିଛି। ଗୋଟିଏ ଗୋଷ୍ଠୀ ଅଭିଯୋଗ କରିଥିଲେ, ନିର୍ବାଚନ ସମୟରେ ବିଷ୍ଣୁ ବାରିକ ବିଜେଡି ପାଇଁ ପୂର୍ବରୁ କାମ କରିଥିଲେ । ତେଣୁ ସେ କିଭଳି ବୈଠକ ଡାକିପାରିବେ । ବିଷ୍ଣୁ ବାରିକକୁ ଏକ କୋଠରୀ ଭିତରେ ଗୋଟିଏ ଗୋଷ୍ଠୀ ପୁରାଇ ବାହାରୁ କବାଟ ଦେଇଦେଇଥିଲେ । ଭଙ୍ଗାରୁଜା ମଧ୍ୟ ହୋଇଥିଲା । ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ଓ ଗୋଇଠା ମରାମରି ବି ହୋଇଥିଲା । ବିଷ୍ଣୁ ବାରିକଙ୍କ ସମର୍ଥକ ଓ ତାଙ୍କ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁରେଶକୁମାର ରାଉତରାୟ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ। ହେଲେ କିଛି ଫଳ ମିଳିନଥିଲା । ପରେ ପିସିସି ସଭାପତି ଉଭୟ ଗୋଷ୍ଠୀଙ୍କୁ ଡାକି ବୈଠକ କରିଛନ୍ତି । ଘଟଣାର ତଦନ୍ତ ପରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।