THE BYAPINI

‘ସହାୟତା ନୁହେଁ ସ୍ଥାୟୀ ସମାଧାନ ଦରକାର’

Get real time updates directly on you device, subscribe now.

ବାତ୍ୟା ‘ୟସ’ର କ୍ଷୟକ୍ଷତି ସମୀକ୍ଷା ପରେ ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ଆକାଶମାର୍ଗରୁ ବାଲେଶ୍ୱର ଓ ଭଦ୍ରକ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୁବନେଶ୍ୱରେ ଅନୁଷ୍ଠିତ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ବୈଠକରେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି, ସମୀକ୍ଷା ବୈଠକରେ ବାତ୍ୟା ମୁକାବିଲାର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ଦାବି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ। ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା । ଏଥିପାଇଁ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କରାଗଲା। ସେହିପରି ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି କରାଗଲା। ୭/୮ ମିଟର ପର୍ୟ୍ୟନ୍ତ ଜୁଆର ଉଠୁଥିବାରୁ ତାର ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ଦାବି କରାଗଲା। ଏହି ଦୁଇ କାର୍ୟ୍ୟ ପାଇଁ ଭାରତ ସରକାର ସହାୟତା କରନ୍ତୁ ବୋଲି ଦାବି କରାଗଲା। ୟାସ୍ କ୍ଷୟକ୍ଷତିକୁ ଆକଳନ ଚାଲିଛି ଏବେ କ୍ଷୟକ୍ଷତି ବାବଦରେ ଅର୍ଥରାଶି କେନ୍ଦ୍ରକୁ ମଗାଯାଇନି । ୭ ଦିନ ପରେ କ୍ଷୟକ୍ଷତି କେତେ ହୋଇଛି ଆମେ ଜଣାଇବୁ । ବାତ୍ୟାରେ କ’ଣ ହୋଇଛି ସେ ନେଇ ୮ ମିନିଟର ଏକ ଭିଡିଓ କ୍ଳିପ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ଏସଆରସି କହିଛନ୍ତି ।

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.