THE BYAPINI

ଶବ ଟଙ୍କା ଖାଉଛି କିଏ?

Get real time updates directly on you device, subscribe now.

ଓଡ଼ିଆରେ ଏକ ଲୋକକଥା ରହିଛି, କାହାର ସର୍ବନାଶ, ତ କାହାର ପୁଷମାସ । ଆଉ ମହାମାରୀ କରୋନା କାଳରେ ରାଜ୍ୟରେ କିଛି ଏଭଳି ଘଟଣା ଦେଖିବାକୁ ମିଳୁଛି । କେଉଁଠି ଭୂତାଣୁ ଜୀବନ ନେବା ସହ ଗୋଟିଏ ଗୋଟିଏ ପରିବାରକୁ ଛାରଖାର କରିଦେଉଛି ତ ପୁଣି କେଉଁଠି ମହାମାରୀରେ ମାଲେମାଲେ ହେବାକୁ ସୁଯୋଗ ଖୋଜୁଛନ୍ତି କିଛି ସ୍ୱାର୍ଥବାଦୀ ମଣିଷ । ଆଉ ତାହା ବି ପୁଣି ଶବ ଟଙ୍କାକୁ ଚଳୁ କରି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଶବ ଟଙ୍କା ବା କଣ? ଏହି ଟଙ୍କା ଦଉଛି କିଏ ଆଉ ଖାଉଛି କିଏ?

କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ୭,୫୦୦ ଟଙ୍କା ଦେବାକୁ ରାଜ୍ୟ ସରକାର କିଛି ଦିନ ପୂର୍ବେ ଘୋଷଣା କରିଥିଲେ । ସଂକ୍ରମଣ ଭୟରେ କରୋନାରେ ମୃତ ବ୍ୟକ୍ତିଙ୍କୁ କେହି ଛୁଇଁବାକୁ ସାହସ କରୁନଥିବାରୁ ଘଣ୍ଟା ଘଣ୍ଟା ଧରି ମୃତଦେହ ପଡି ରହୁଥିଲା । ତେବେ ପ୍ରତିଟି ଶବର ଯେପରି ସମ୍ମାନର ସହ ଅନ୍ତିମ ସଂସ୍କାର କରାଯିବ ସେଥିପାଇଁ ଅର୍ଥରାଶି ଘୋଷଣା କରିଥିଲେ ସରକାର । କିନ୍ତୁ ଏବେ ଶବ ପାଇଁ ଆସୁଥିବା ସେହି ଟଙ୍କାକୁ ବାଟମାରଣା କରାଯାଉଥିବା ନେଇ ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆସିବା ପଛର କାରଣ ହେଲା, ସରକାରଙ୍କ ପାଖରେ କରୋନାରେ ମୃତ ବ୍ୟକ୍ତିଙ୍କ ବାବଦରେ ଏଯାଏଁ ସଠିକ ସୂଚନା ନାହିଁ । ରାଜ୍ୟରେ କରୋନା ମୃତ୍ୟୁ ନେଇ ନେଇ ସରକାର ଯେଉଁ ରିପୋର୍ଟ ଦେଉଛନ୍ତି ତାହା କେତେଦୂର ଠିକ୍ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କାରଣ ଗଣମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଏକାଧିକ କରୋନା ମୃତ୍ୟୁର ଖବର ସାମ୍ନାକୁ ଆସୁଥିବା ବେଳେ ସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟା କିନ୍ତୁ ଏଯାଏଁ ୨୫ରୁ ଅଧିକ ଟପୁନାହିଁ ।

ତେବେ ସବୁଠୁ ସାଂଘାତିକ କଥା ହେଲା, ପଜିଟିଭ ଚିହ୍ନଟ ହୋଇ ଆକ୍ରାନ୍ତ ମୃତ୍ୟୁ ବରଣ କରୁଥିଲେ ମଧ୍ୟ କିଛି ସ୍ଥାନରେ ପ୍ରଶାସନ ତରଫରୁ ଅନ୍ତିମ ସଂସ୍କାର ପାଇଁ କୌଣସି ବ୍ୟବସ୍ଥା କରାଯାଉନଥିବା ନେଇ ଅଭିଯୋଗ ହେଉଛି । କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ରହିବା କଥା । କିନ୍ତୁ ରାଜଧାନୀକୁ ଛାଡିଦେଲେ ଅନ୍ୟ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରଶାସନ ପକ୍ଷରୁ ସେଭଳି ଉଦ୍ୟମ କରାଯାଉନଥିବା ଦେଖିବାକୁ ମିଳୁଛି । ପରିବାର ଲୋକେ ନଚେତ ସ୍ୱେଚ୍ଛାସେବୀ ସଙ୍ଗଠନ ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି । ଏପରିକି କିଛି ସ୍ଥାନରେ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଫୋନ୍ କଲ ଆସୁଛି । ଯାହା ସରକାରଙ୍କ ମହାମାରୀ ମୁକାବିଲାର ଅବ୍ୟବସ୍ଥାକୁ ପଦାରେ ପକାଉଛି । କିନ୍ତୁ ପ୍ରଶ୍ନ ଉଠୁଛି ସରକାରୀ ଅବ୍ୟବସ୍ଥାର କେହି ଫାଇଦା ଉଠାଉନାହାନ୍ତି ତ? କାରଣ କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ସରକାର ଯେଉଁ ଅର୍ଥରାଶିର ବ୍ୟବସ୍ଥା କରିଛନ୍ତି ତାହା ପାଇବା ପାଇଁ ମୃତକଙ୍କ ରିପୋର୍ଟକୁ ଜାଣିଶୁଣି ବିଳମ୍ବିତ କରାଯାଉନାହିଁ ତ? ଅନ୍ତିମ ସଂସ୍କାର ନାଁରେ ଆସୁଥିବା ଟଙ୍କା ଖର୍ଚ୍ଚ ହେବା ବଦଳରେ ବାଟମାରଣା ହେଉନାହିଁ ତ? ଯଦି ହଁ ତେବେ କିଏ ଖାଉଛି ଶବ ଟଙ୍କା?

Get real time updates directly on you device, subscribe now.

Leave A Reply

Your email address will not be published.