ଲାଜ ନାହିଁ କି ଅନୁଶୋଚନା ନାହିଁ…!
ରାଜ୍ୟରେ ଗୁରୁତର କରୋନା ରୋଗୀଟିଏ ପାଇଁ ବେଡ ଅଛି ତ? ବିନା କୌଣସି ସମସ୍ୟାରେ ଜଣେ ଗୁରୁତର କରୋନା ରୋଗୀ ବେଡ ପାଇପାରିବ ତ? ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ପାଇଁ ଯଥେଷ୍ଟ ସଂଖ୍ୟାରେ ବେଡ ଉପଲବ୍ଧ ଅଛି ବୋଲି କହି ସରକାର ଯେଉଁ ବାହାବା ନେଉଛନ୍ତି ସେଥିରେ କେତେ ସତ୍ୟତା ରହିଛି? ନା ମହାମାରୀର ସଫଳ ମୁକାବିଲାରେ ଜାତୀୟ ସ୍ତରରେ ଓଡ଼ିଶାକୁ ନମ୍ବର ୱାନ୍ ଦର୍ଶାଇବାକୁ ଏଭଳି ମିଛ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର ।
ଏଭଳି ଅନେକ ଅନାଲୋଚିତ ପ୍ରଶ୍ନ ସାଧାରଣ ଲୋକଟିର ମନରେ ସେତେବେଳେ ଉଠୁଛି ଯେତେବେଳେ ଜଣେ ଗୁରୁତର କରୋନା ଆକ୍ରାନ୍ତ ମହିଳା ୯ଟି ହସ୍ପିଟାଲରେ ବୁଲିବା ପରେ ମଧ୍ୟ ଆଇସିୟୁ ବେଡ ମିଳୁନାହିଁ ଓ ଆଉ ଆମ୍ବୁଲାନ୍ସରେ ଆଠଘଣ୍ଟା ଧରି ବିଭିନ୍ନ ହସ୍ପିଟାଲ ବୁଲିବା ପରେ ଆଖି ବୁଜୁଛି । ଆଉ ତାହା ବି ପୁଣି ସବୁଠୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ରାଜଧାନୀର ଭୁବନେଶ୍ୱରର ଛାତି ଉପରେ । ଯେତେବେଳେ ରାଜ୍ୟରେ ଆଇସିୟୁ ବେଡ ମହଜୁଦ୍ ଥିବା କୁହାଯାଉଛି ସେତେବେଳେ ଏହି ଘଟଣା ଏବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ଆଉ ସବୁଠୁ ବଡ କଥା ହେଲା ସାନ୍ତ୍ୱନା ଦେବା ବଦଳରେ ସଫେଇ ଦେଇ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଅପଚେଷ୍ଟା ଚାଲିଛି ।
ଭୁବନେଶ୍ୱର ଉପକଣ୍ଠସ୍ଥ କୁରୁଞ୍ଜିପୁର ପଞ୍ଚାୟତ ଇନ୍ଦୋଳକୁସିଆର ଗାଁର ବିଷ୍ଣୁ ଭୋଳଙ୍କ ପତ୍ନୀ ସ୍ୱର୍ଣ୍ଣଲତା ପାଳ ଦୀର୍ଘ ୮ ଘଣ୍ଟା ଆମ୍ବୁଲାନ୍ସ ଭିତରେ ଛଟପଟ ହେଉଥିଲେ ମଧ୍ୟ କୌଣସି ହସ୍ପିଟାଲରେ ଆଇସିୟୁ ବେଡ ମିଳିନଥିଲା । ୯ଟି ହସ୍ପିଟାଲ ବୁଲିବା ପରେ ଶେଷରେ ନିରାଶ ହୋଇ ଆଖି ବୁଜିଥିଲେ ସ୍ୱର୍ଣ୍ଣଲତା । ହଁ ତାହା ପୂର୍ବରୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ପ୍ରଥମେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ସମୟ ଚିକିତ୍ସିତ ହେବା ପରେ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା । ତେବେ କ୍ୟାପିଟାଲ ହସ୍ପିଟାଲ ସଙ୍ଗେ ସଙ୍ଗେ ଉକ୍ତ ମହିଳାଙ୍କୁ କଟକ ରେଫର କରିଥିଲେ । କିନ୍ତୁ ରୋଗୀକୁ କଟକ ନେବା ପରିବର୍ତ୍ତେ ରାଜଧାନୀର ବିଭିନ୍ନ ନାମୀଦାମୀ ହସ୍ପିଟାଲକୁ ଆଡମିଶନ ପାଇଁ ନେଇଥିଲେ ମଧ୍ୟ ପ୍ରତି ହସ୍ପିଟାଲରୁ ନିରାଶ ହେବାକୁ ପଡିଥିଲା । ଶେଷର ପୁଣିଥରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳକୁ ରୋଗୀର ଅବସ୍ଥା ସଙ୍ଗୀନ ହୋଇଥିବା ବେଳେ ପୁଣିଥରେ କ୍ୟାପିଟାଲ ହସ୍ପିଟାଲ ନେବାକୁ ପରାମର୍ଶ ଦିଆଯାଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଆମ୍ବୁଲାନ୍ସରେ ୮ ଘଣ୍ଟା ବିତିସାରିଥିଲା । ଆଉ ଜୀବନ ଓ ମରଣର ଏହି ଲୁଚକାଳି ଭିତରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ସ୍ୱର୍ଣ୍ଣଲତା ।
କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ଗଣମାଧ୍ୟମରେ ଏହି ପ୍ରଶ୍ନ ଉଠିବା ପରେ ଉତ୍ତର ରଖିଛି ଏନଏଚଏମ । କିନ୍ତୁ ଏଥିରେ ଯାହା ଦର୍ଶାଯାଇଛି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ମଧ୍ୟ ତଳକୁ ନଇଁଯିବ । କେବଳ ୧୦୮ ଆମ୍ବୁଲାନ୍ସ ରୋଗୀକୁ ନେଇ କେଉଁ କେଉଁ ହସ୍ପିଟାଲ ଯାଇଥିଲା ଏବଂ ମହିଳାଙ୍କ ପାଖରୁ ୧୦୪ ହେଲ୍ପଲାଇନ ନମ୍ବରକୁ କୌଣସି କଲ ଆସିନଥିବା କହି ଦୋଷ ଛଡାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ କ୍ୟାପିଟାଲ ହସ୍ପିଟାଲକୁ ରୋଗୀକୁ କାହିଁକି ଦୁଇଥର ଆସିବାକୁ ପଡିଲା ଏବଂ ରାଜଧାନୀର ବଡ ବଡ ହସ୍ପିଟାଲ ସାଧାରଣ ରୋଗୀଙ୍କୁ ଆଡମିଶନ ଦେଉନଥିବା ନେଇ ଯେଉଁ ସଂକେତ ମିଳିଛି ସେ ବାବଦରେ ପଦୁଟିଏ ସ୍ପଷ୍ଟୀକରଣ ରଖାଗଲା ନାହିଁ । ଏହି ଦୁଇଟି ଦିଗ ସରକାରଙ୍କ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି ।
ପ୍ରଥମତଃ କ୍ୟାପିଟାଲ ହସ୍ପିଟାଲରେ ଗୁରୁତର ମହିଳା ରୋଗୀଙ୍କୁ ବେଡ ମିଳିଲାନି କି ସଠିକ୍ ଚିକିତ୍ସା । ଯାହା ରାଜଧାନୀର ସବୁଠୁ ଭରସାଯୋଗ୍ୟ ହସ୍ପିଟାଲ ଭାବେ ଖ୍ୟାତି ଅର୍ଜନ କରିଥିବା କ୍ୟାପିଟାଲ ହସ୍ପିଟାଲର ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଥିଲା । କାରଣ କ୍ୟାପିଟାଲ ହସ୍ପିଟାଲକୁ ଏକ ବିଶ୍ୱସ୍ତରୀୟ ହସ୍ପିଟାଲ ଭାବେ ଗଢି ତୋଳିବାକୁ ଉଦ୍ୟମ କରାଯାଉଛି । ଏଭଳି ସ୍ଥଳେ ଜଣେ ଗୁରୁତର ମହିଳା ରୋଗୀକୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରିବା ବଦଳରେ କଟକ ବଡ ମେଡିକାଲ ନେବାକୁ ରେଫର କରାଯାଉଛି । ତେବେ କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ସତ୍ତ୍ୱେ ମଧ୍ୟ କାହିଁକି ଉକ୍ତ ମହିଳାଙ୍କୁ କଟକ ରେଫର କରିବାକୁ ପରାମର୍ଶ ଦିଆଗଲା । ପ୍ରଶ୍ନ ଉଠୁଛି ମହିଳାଙ୍କୁ ଏମିତି କେଉଁ ରୋଗ ହୋଇ ଥିଲା ଯେ, କଟକ ରେଫର କରିବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଇପାରିଲା ନହିଁ । ନା ମହିଳାଙ୍କୁ ଜାଣିଶୁଣି ମୃତ୍ୟୁମୁହଁକୁ ଠେଲି ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।
ଦ୍ୱିତୀୟତଃ ହେଲା, କ୍ୟାପିଟାଲ ହସ୍ପିଟାଲ ମହିଳାଙ୍କୁ କଟକ ରେଫର କରିବାକୁ ପରାମର୍ଶ ଦେଇଥିବା ବେଳେ ସ୍ୱର୍ଣ୍ଣଲତାଙ୍କ ପରିବାର ତାଙ୍କୁ କଟକ ନନେଇ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲ ବୁଲିଥିଲେ । କିନ୍ତୁ ହସ୍ପିଟାଲର ଦୁଆରମୁହଁରୁ ଆଗକୁ ଯାଇପାରୁନଥିଲେ ସ୍ୱର୍ଣ୍ଣଲତା । ଚିକିତ୍ସା ପାଇବା ପୂର୍ବରୁ ପ୍ରତିଟି ହସ୍ପିଟାଲରୁ ତାଙ୍କୁ ଫେରିବାକୁ ପଡୁଥିଲା । ଆଉ ଏମିତି ହସ୍ପିଟାଲରୁ ହସ୍ପିଟାଲ ବୁଲିବା ଭିତରେ ଶେଷ ନିଦ୍ରାରେ ଶୋଇ ପଡିଥିଲେ ସ୍ୱର୍ଣ୍ଣଲତା । ଯେଉଁଠି କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୌଣସି ହସ୍ପିଟାଲ ମନା କରିପାରିବେନି ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ସେଠାରେ ସ୍ୱର୍ଣ୍ଣଲତାଙ୍କୁ ଘରୋଇ ହସ୍ପିଟାଲ ଗୁଡିକ ଆଡମିଶନ ନକରାଇବା କେତେଦୂର ଠିକ୍? ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁରେ ଏହି ଘରୋଇ ହସ୍ପିଟାଲ ଗୁଡିକ ସମପରିମାଣରେ ଦାୟୀ ନୁହେଁ କି? ଯଦି ସ୍ୱର୍ଣ୍ଣଲତାଙ୍କ ଭଳି ସାଧାରଣ ଲୋକ ବଦଳରେ କେହି ଭିଭିଆଇପି ଲୋକ ଚିକିତ୍ସିତ ହେବାକୁ ଆସିଥାନ୍ତେ ତେବେ କଣ ତାଙ୍କ ପାଇଁ ହସ୍ପିଟାଲ ଦୁଆର ବନ୍ଦ ହୋଇଥାନ୍ତା କି? ତେଣୁ ଯେଉଁ ଘରୋଇ ହସ୍ପିଟାଲ ଗୁଡିକ ସ୍ୱର୍ଣ୍ଣଲତାଙ୍କ ଚିକିତ୍ସା ପାଇଁ ମୁହଁ ମୋଡି ଦେଇଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରି କାର୍ୟ୍ୟାନୁଷ୍ଠାନ ନେବେ କି ସରକାର? ନା ଏହି ପ୍ରସଙ୍ଗରେ ଚୁପ୍ ରହି ଘରୋଇ ମେଡିକାଲର ବେଡ କେବଳ ଭିଭିଆଇପି ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ବୋଲି ବାର୍ତ୍ତା ଦେବେ ସରକାର ।
ଏତେ ବଡ ହୃଦୟବିଦାରକ ଘଟଣା ଘଟିବା ପରେ ମଧ୍ୟ ସରକାର ସେହି ଆମ୍ବୁଲାନ୍ସ ପାଖରେ ଅଟକି ରହିବା ନିହାତି ଭାବେ ଏକ ଲଜ୍ଜାଜନକ ବିଷୟ । ମୁଣ୍ଡ ନୁଆଁଇ ନିଜ ଭୁଲ ସ୍ୱୀକାର ସହ ଅନୁଶୋଚନା କରିବା ବଦଳରେ ସଫେଇ ରଖିବା କେତେଦୂର ଯୁକ୍ତିଯୁକ୍ତି? ମାନବିକତାକୁ ମାରି ଦେଉଥିବା ଏଭଳି ଏକ ଘଟଣା ଉପରେ ପରଦା ପକାଇ ମହାମାରୀର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରଂଶସା ଓ ବାହାବା ସାଉଁଟିବା କେତେ ଦୂର ଠିକ୍ ତାହାର ବିଚାର କରିବେ ଜନତା ।