ବଦଳିଲେ ନୟାଗଡ଼ ଏସ୍ପି
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । କିଛି ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟସରକାର । ପରୀ ମୃତ୍ୟୁ ନେଇ ବିବାଦରେ ଥିବା ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ସିଦ୍ଧାର୍ଥ କଟରିଆଙ୍କୁ ନୟାଗଡ ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।
୨୦୧୫ ବ୍ୟାଚ୍ର ଆଇପିଏସ ଅଫିସର ହେଉଛନ୍ତି ପ୍ରତ୍ୟୁଷ ଦିବାକର । ପରୀ ମୃତ୍ୟୁ ମାମଲାରେ ଅପରାଧୀକୁ ଧରିବାରେ ଯେତେବେଳେ ଜିଲ୍ଲା ପ୍ରଶାସନର ବିଫଳତା ଓ ସ୍ଥାଣୁତା ସାମନାକୁ ଆସିଥିଲା । ଠିକ ସେତିକିବେଳେ ପ୍ରତ୍ୟୁଷ ଦିବାକରଙ୍କ ଉପରେ ପ୍ରଶ୍ନଚିହ୍ନ ଛିଡାହୋଇଥିଲା । ସ୍ଥାନୀୟ ଆଇଆଇସି ଓ ଏସଡିପିଓଙ୍କ ବିରୋଧରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ । ଆଉ ଏବେ ନୟାଗଡ ଏସପିଙ୍କୁ ବଦଳି କରାଯାଇ ଏଆଇଜି ମୁଖ୍ୟ କାର୍ୟ୍ୟାଳୟରେ ଅବସ୍ଥାପିତ କରାଯାଇଛି । ତାଳଚେରରେ ଏସ୍ଡିପିଓ ଭାବେ କାର୍ୟ୍ୟରତ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସ୍ପି ଭାବେ ଦାୟିତ୍ବ ଦିଆଯାଇଛି।
ଅଦଳବଦଳ ମାଧ୍ୟମରେ ୧୧ଟି ଜିଲ୍ଲାର ଏସପିଙ୍କୁ ନିଯୁକ୍ତ କରାଯାଇଛି। ଆଇଜି ନରସିଂହ ଭୋଳଙ୍କୁ ସମ୍ବଲପୁର ବଦଳି କରାଯାଇଥିବା ବେଳେ ଭଦ୍ରକ ଏସ୍ପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ଡିଆଇଜି ଭାବେ କୋରାପୁଟରେ ନିଯୁକ୍ତି ମିଳିଛି। କୋରାପୁଟରେ କାର୍ୟ୍ୟରତ ଡିଆଇଜି ସଫିନ୍ ଅହମଦ୍ ଡିଆଇଜି ଟେକ୍ନିକାଲ ଭାବେ ଅବସ୍ଥାପିତ ହେବେ। କ୍ରାଇମ୍ବ୍ରାଞ୍ଚରେ କାର୍ୟ୍ୟରତ ଡ.ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ଡିଆଇଜି, ଅର୍ଥନୈତିକ ଅପରାଧ ଶାଖାରେ କାର୍ୟ୍ୟରତ ଅଓ୍ଵିନାଶ କୁମାରଙ୍କୁ ଡିଆଇଜି, କେନ୍ଦ୍ରାପଡ଼ା ଏସ୍ପି ନିତି ଶେଖରଙ୍କୁ ଅତିରିକ୍ତ ଟେକନିକାଲ(ଏନଫୋରସମେଣ୍ଟ) ଭାବେ ବଦଳି ହୋଇଛି।
ସେହିପରି ଏଆଇଜି ମୁଖ୍ୟ କାର୍ୟ୍ୟାଳୟରୁ ବିବେକାନନ୍ଦ ଶର୍ମାଙ୍କୁ ଏସ୍ପି ଭାବେ ରାୟଗଡ଼ା, ଜୟପୁର ଏସ୍ଡିପିଓ ବରୁଣ ଗୁଣ୍ଟୁପଲ୍ଲୀଙ୍କୁ କୋରାପୁଟ ଏସ୍ପି, ତାଳଚେର ଏସ୍ଡିପିଓ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସ୍ପି, ମାଲକାନଗିରି ଏସ୍ଡିପିଓ ପ୍ରହଲ୍ଲାଦ ସାହିଙ୍କୁ ନବରଙ୍ଗପୁର ଏସ୍ପି ଭାବେ ବଦଳି ହୋଇଛି।