ଅସିତ୍ ଯିବେ କିଏ ଆସିବେ?
ଆଉ ୮ ଦିନ ପରେ ଚାକିରିରୁ ଅବସର ନେବେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଅସିତଙ୍କ ଅବସର ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଏବେ ତା ଉପରେ ନଜର । ମୁଖ୍ୟ ଶାସନ ସଚିବ ଦୌଡରେ ଉନ୍ନୟନ କମିଶନର ପ୍ରଦୀପ ମହାପାତ୍ର ରହିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ଆସନ୍ତା ଡିସେମ୍ୱର ୩୧ ତାରିଖରେ ଅସିତ ତ୍ରିପାଠୀ କାର୍ୟ୍ୟକାଳ ସରୁଥିବା ବେଳେ ଏ ନେଇ ମିଳିଛି ସବୁଜ ସଙ୍କେତ ।ସଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ମିଳିଥିବା ଉଲ୍ଲେଖ ରହିଛି ।
୧୯୮୬ ବ୍ୟାଚର ଆଇଏଏସ୍ ଶ୍ରୀ ତ୍ରିପାଠୀ କରୋନା କାଳରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ନିଜର କାର୍ୟ୍ୟକୁ ବେଶ ସୂଚାରୁରୂପେ ସମ୍ପାଦନ କରିଥିଲେ। ଏଥିସହ ଲକଡାଉନ୍ ଓ ସଟଡାଉନ୍ ଭଳି ବଡ଼ ବଡ ଘୋଷଣା କରି ବେଶ ଚର୍ଚ୍ଚାରେ ରହିଥିଲେ । ଖାଲି କରୋନା ନୁହେଁ ବିଭିନ୍ନ ସମୟରେ ଲୋକହିତ କାର୍ୟ୍ୟ କରି ଅସିତ୍ ତ୍ରିପାଠୀ ବେଶ ଚର୍ଚ୍ଚା ରହିଛି। ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ମିଳୁଥିବା ସୂଚନା ମୁତାବକ, ଉନ୍ନୟନ କମିସନର ସୁରେଶ ମହାପାତ୍ର ମୁଖ୍ୟସଚିବ ଦୌଡରେ ଆଗରେ ଅଛନ୍ତି। ବରିଷ୍ଠତା ଦୃଷ୍ଟିରୁ ବି ସବୁଠୁ ଆଗରେ ରହିଛନ୍ତି ୧୯୮୬ ବ୍ୟାଚର ଅଧିକାରୀ ଶ୍ରୀ ମହାପାତ୍ର । ତା’ ପଛକୁ ବରିଷ୍ଠତା ଭିତ୍ତିରେ ୧୯୮୭ ବ୍ୟାଚର ଆଇଏଏସ ପ୍ରଦୀପ୍ତ ମହାପାତ୍ରଙ୍କ ନାଁ ଆସୁଛି । କିନ୍ତୁ ଗତ ଦୁଇ/ ତିନିଥର ହେଲା ଉନ୍ନୟନ କମିସନର ଥିବା ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ଅବସ୍ଥାପିତ କରାଯାଉଛି । ତେଣୁ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ସରକାର ବସାଇବା ସମ୍ଭାବନା ଅଧିକ।