ଦୁର୍ନୀତି କଲେ… ନବୀନ ଦେଉଛନ୍ତି ଦଣ୍ଡ
ଦୁର୍ନୀତି କଲେ ମିଳୁଛି ଦଣ୍ଡ । ନବୀନ ସରକାରରେ ଦୁର୍ନୀତିର ସ୍ଥାନ ନାହିଁ । ଯିଏ ଦୁର୍ନୀତି କରୁଛି ତାକୁ ମାଫ ଦେଉ ନାହାନ୍ତି ରାଜ୍ୟ ସରକାର ଷ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ନବୀନ । ଆଉ ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି ରଖିଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ୪ ଜଣ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୁଇ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ, ଆଉ ଦୁଇ ଜଣଙ୍କର ପେନସନ ସଂକ୍ରାନ୍ତୀୟ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ମୟୁରଭଂଜ ଖୁଣ୍ଟାରେ କାର୍ଯ୍ୟରତ ତଥା ବଲାଙ୍ଗୀର ଟିଟିଲାଗଡ ବ୍ଲକର ପୂର୍ବତନ ଏସଇଓ ବଳରାମ ସୁନା ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ କାର୍ଯ୍ୟରତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ବସନ୍ତ କୁମାର ସାହୁଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବରଖାସ୍ତ କରାଯାଇଛି ।
ସେହିପରି ଭୁବନେଶ୍ବର ବିଇଡିର ପୂର୍ବତନ ଇଲେକ୍ଟ୍ରିକାଲ ଡିଜିଏମ ଦାମୋଦର ଦାସ ଏବଂ ଅବସରପ୍ରାପ୍ତ ପୋଲିସ ଏ.ଏସ୍.ଆଇ ଶ୍ରୀ ଏମ୍. ଜଗନ୍ନାଥ ରାଓଙ୍କର ପେନସନ ଏବଂ ପେନସନଜନିତ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି । ଦୁର୍ନୀତି ଅଭିଯୋଗରେ ଏହି ଦୁଇ ଅଧିକାରୀ ଅଦାଲତ ଦ୍ବାରା ଅଭିଯୁକ୍ତ ହୋଇଥିଲେ । ତେବେ ଏହି ଚାରି ଜଣ ଅଭିଯୁକ୍ତଙ୍କୁ ମିଶାଇ ଗତ ବର୍ଷେ ମଧ୍ୟରେ ଏଯାଏଁ ୧୧୭ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି ।