ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା
ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ଏବେ ସଂକ୍ରମଣ ଗାଁ ମୁହାଁ ହୋଇଛି । ଗାଁରେ ଯେପରି ସ୍ଥିତି ଖରାପ ନହୁଏ ସେଥପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି ।ମେ’ ୨୪ରୁ ତିନି ମାସ ପର୍ୟ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ। ଏହା ସହ ସରପଂଚଙ୍କୁ ପୁଣି ମିଳିବ ଜିଲ୍ଲାପାଳ କ୍ଷମତା । କରୋନା ବିରୋଧରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।
ଏବେ ସରକାରଙ୍କ ଫୋକସରେ ଗାଁ । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ ଆଶା କର୍ମୀ କରିବେ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହ ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା ମିଳିଛି।କୋଭିଡ ପରିଚାଳନାରେ ଗୋଷ୍ଠୀକୁ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି ।ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନଏମ, ଆଶା, ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ କୋଭିଡ ପରିଚାଳନା କାମ ଜାରି ରହିଛି ।ସେହିପରି ପ୍ରତି ଗାଁ ରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ୟ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ଅନ୍ୟପଟେ ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି ଯେ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ । ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ ।କୋଭିଡ ସଂକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀ ଏବଂ ବାପା-ମାଙ୍କୁ ହରାଇ ଥିବା ପିଲାଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବ ବୋଲି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତ୍ରୁଟିଶୂନ୍ୟ ଅକ୍ସିଜେନ ଯୋଗାଣ ପାଇଁ ଅଧିକ ଅକ୍ସିଜେନ ସିଲିଣ୍ଡର, ରି-ଫିଲିଙ୍ଗ ଓ ପରିବହନ କାର୍ୟ୍ୟ ତଦାରଖ କରାଯାଉଛି । ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍ସେଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି । ଜରୁରୀ ଔଷଧ ଓ ଅକ୍ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ରାଜ୍ୟର ଚାହିଦା ପୂରଣ ସହିତ ଆଜି ଓଡିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି । ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା। ରାଜ୍ୟରେ ଅକ୍ସେଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଏକ ଟାକ୍ସଫୋର୍ସ ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ବ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି ଏବଂ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦିଆଯାଇଛି । ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।