ମାଟ୍ରିକ୍ ପରୀକ୍ଷା ବାତିଲ
କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ଛାତ୍ରଛାତ୍ରୀଙ୍କ ଦାବି ପରେ ବାତିଲ ହେଲା ଦଶମ ବୋର୍ଡ ପରୀକ୍ଷା । ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ହେବାକୁ ଥିବା ମାଟ୍ରିକ ବୋର୍ଡ ପରୀକ୍ଷାକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା ହେବ । ରେଜଲ୍ଟକୁ ନେଇ ଅସହମତି ହେଲେ ପରବର୍ତ୍ତୀ ପର୍ୟ୍ୟାୟରେ ପରୀକ୍ଷା ହେବ । କରୋନା ସ୍ଥିତିକୁ ଦେଖି ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।ଯଦି ମିଳିଥିବା ମାର୍କକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥାନ୍ତି ତେବେ ସ୍ଥିତି ସୁଧୁରିଲେ ସେ ପରୀକ୍ଷା ଦେଇପାରିବେ ଜ୍ଝତେବେ କେଉଁ ପଦ୍ଧତିରେ ମାର୍କ ମିଳିବ ସେ ନେଇ ପରେ ନିଷ୍ପତ୍ତି ନିଆଯିବ।
ପରୀକ୍ଷା ବାତିଲ ନେଇ ଗତକାଲି ଶତାଧିକ ଛାତ୍ର ନବୀନ ନିବାସ ସାମ୍ନାରେ ବିକ୍ଷୋଭ କରିଥିଲେ । କୋଭିଡ ଯୋଗୁଁ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି ଜଣାଇଥିଲେ ମାଟ୍ରିକ ଛାତ୍ରଛାତ୍ରୀ । ନବୀନ ନିବାସ ସମ୍ମୁଖରେ ରାଜଧାନୀର ୧୫ଟି ସ୍କୁଲର ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ଦାବି ଜଣାଇଥିଲେ ।
ମେ ମାସ ୩ ତାରିଖରେ ହେବାକୁ ଧାର୍ୟ୍ୟ ହୋଇଥିଲା ମାଟ୍ରିକ ପରୀକ୍ଷା ।ସେହିପରି ମେ୧୮ ତାରିଖରେ ହୋଇଥାନ୍ତା ମଦ୍ରାସା ବୋର୍ଡ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଏବଂ ମଦ୍ରାସା ବୋର୍ଡ ପରୀକ୍ଷାକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ। ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା। ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ। ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ୟ୍ୟନ୍ତ ୧୦୦ ଦିନିଆ ପାଠପଢ଼ା ଚାଲିଥିଲା। ମାତ୍ର କରୋନା ସଂକ୍ରମଣ ବୃଦ୍ଧି ପରେ ରାଜ୍ୟ ସରକାର ପରୀକ୍ଷା ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।