ଆଜିଠୁ ଶ୍ରେଣୀ ଗୃହରେ ପାଠପଢା..କୋଭିଡ ନିୟମ ମାନି ପିଲା କରିବେ କ୍ଲାସ
ଆଜି ଖୋଲୁଛି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ । ଆଜି ଅଷ୍ଟମରୁ ଉପର ଶ୍ରେଣୀ ଖୋଲିବ । କୋଭିଡ କଟକଣା ମଧ୍ୟରେ ଖୋଲୁଥିବାରୁ ହାଇସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପ୍ରସ୍ତୁତି କରିଛନ୍ତି । ସ୍କୁଲ ପରିସରକୁ ସଫା କରାଯିବା ସହ ସାନିଟାଇଜ କରାଯାଇଛି । କୋଭିଡର ତୃତୀୟ ଲହରକୁ ଦେଖି ଜାନୁଆରୀ ୧୦ରୁ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା ।
ନବମ ଶ୍ରେଣୀ ଯାଏଁ ପରୀକ୍ଷା ଓ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ପଦୋନ୍ନତି ପାଇଁ କ୍ଲାସ ଆସେସମେଂଟ କରାଯିବ । କୋଭିଡ ସଂକ୍ରମଣ କମିବା ପରେ ହାଇସ୍କୁଲ ଓ ଉଚ୍ଚଶିକ୍ଷାନୁଷ୍ଠାନ ଆଜିଠାରୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ସେହିଭଳି କେଜି ସପ୍ତମ ଶ୍ରେଣୀ ଫେବୃଆରୀ ୧୪ ତାରିଖ ଅର୍ଥାତ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ । ୯ମରୁ ଯୁକ୍ତ୨ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ୧୦ଟାରୁ ୪ଟା ପର୍ୟ୍ୟନ୍ତ ହେବ। ଏହି ଅନୁସାରେ ରୁଟିନ୍ ପ୍ରସ୍ତୁତ ସହ ଶିକ୍ଷକମାନେ କ୍ଲାସ କରିବେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ଟାରୁ ୧ଟା ପର୍ୟ୍ୟନ୍ତ ସ୍କୁଲ ଖୋଲା ରହିବ । ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ସୁଖିଲା ରାସନ ଦିଆଯିବ । ପାଠ ପଢ଼ିବା ନେଇ ପିଲାମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରହିବ। ସେମାନେ ଚାହିଁଲେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ର ବିକଳ୍ପ ବାଛି ପାରିବେ । କେଜିରୁ ୯ମ ଶ୍ରେଣୀ ପର୍ୟ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ହିଁ ଅନୁଷ୍ଠିତ ହେବ ।