THE BYAPINI

ଜୀବନ ଯୁଦ୍ଧରେ ହାରିଗଲେ ଦେବାଶିଷ ପାଣିଗ୍ରାହୀ

Get real time updates directly on you device, subscribe now.

ଶେଷରେ କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ଅଭିଜ୍ଞ ଏବଂ ଦକ୍ଷ ପୋଲିସ ଅଫିସର ଥିଲେ । ଏଥି ସହିତ ଜଣେ ସଫଳ ଲେଖକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଆଇପିଏସ୍ ଅଧିକାରୀ ଭାବେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କରୋନାରେ ଆକ୍ରାନ୍ତ ହୋଇ ମେ ୨୯ ତାରିଖରେ କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦେବାଶିଷ ପାଣିଗ୍ରାହୀ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ଏକମୋ ସହାୟତାରେ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ଗୁରୁବାର ଦିନ ରାତିରେ ଦେବାଶିଷଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ସୁଧାର ଆସିଥିଲା ଏହି ସମୟରେ ଡାକ୍ତର କିଛି ପଚାରିବାରୁ ସେ ମୁଣ୍ଡ ହଲାଇ ଉତ୍ତର ଦେଇଥିଲେ। ହେଲେ ପରେ ତାଙ୍କ ଅବସ୍ଥା ବିଗିଡ଼ିଥିଲା। ଶୁକ୍ରବାର ରାତି ୧୦ଟା ୧୫ବେଳେ ତାଙ୍କର ଦେହାନ୍ତ ହୋଇଥିଲା।
୧୯୬୫, ଅଗଷ୍ଟ ୨୯ ତାରିଖରେ ବାଲେଶ୍ବରରେ ଜନ୍ମିତ ଦେବାଶିଷ ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରିବା ସହିତ ଦିଲ୍ଲୀର ଜେଏନୟୁରେ ଏମଫିଲ୍ ଓ ପିଏଚ୍ଡି କରିଥିଲେ। ୧୯୯୧ରେ ସେ ଭାରତୀୟ ପୁଲିସ ସେବା (ଆଇପିଏସ୍)ରେ ଯୋଗ ଦେଇଥିଲେ। ଚାକିରି ଜୀବନ କାଳରେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସ୍ପି ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି। ଏହାସହ ଡିଆଇଜି, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଆଇଜି (ଆଧୁନିକୀକରଣ), ଆଇଜି (କାର୍ମିକ), ଏଡିଜି (କାର୍ମିକ) ପଦରେ କାମ କରିବା ପରେ ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.