ସୋସିଆଲ ମିଡିଆ ଉପରେ ଅଙ୍କୁଶ
ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ରବିଶଙ୍କର ପ୍ରସାଦ ଏକ ସାମ୍ୱାଦିକ ସମ୍ମୀଳନୀ କରି ଏହାର ସୂଚନା ଦେଇଛନ୍ତି । ନୂତନ ମାର୍ଗଦର୍ଶିକା ଅନୁଯାୟୀ, କୌଣସି ଆପତ୍ତିଜନକ ପୋଷ୍ଟ ଦେଖିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୨୪ଘଣ୍ଟା ମଧ୍ୟରେ ତାହା ହଟାଇବାକୁ ପଡ଼ିବ । ଉଭୟ ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ଭାବେ ନିୟମ ନିର୍ଦ୍ଧାରଣ କରାଯାଇଛି।
କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସୋସିଆଲ ମିଡିଆ, ଓଟିଟି ପ୍ଲାଟଫର୍ମ, ନ୍ୟୁପୋର୍ଟାଲକୁ ନିଜେ ନିୟନ୍ତ୍ରଣ ରଖିବା ଛଡାଯାଇଥିଲା । ହେଲେ ସେଲଫ ରେଗୁଲେସନ ଦେଖିବାକୁ ମିଳିନଥିବାକୁ କେନ୍ଦ୍ର ସରକାର ଆଇନ ଆଣିବାକୁ ବାଧ୍ୟ ହୋଇଛନ୍ତି । ସୋସିଆଲ ମିଡିଆ, ଓଟିଟି ପ୍ଲାଟଫର୍ମ ଓ ନ୍ୟୁଜପୋର୍ଟାଲକୁ ନେଇ ବହୁ ଅଭିଯୋଗ ଆସିବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ଏହି ଆଇନ ଆସନ୍ତା ୩ ମାସ ଭିତରେ ଲାଗୁ ହେବ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ।
ସୋସିଆଲ ମିଡିଆର ଦୁରୁପଯୋଗକୁ ନେଇ ବ୍ୟାପକ ଆଲୋଚନା ପରେ ୨୦୧୮ ଡିସେମ୍ବର ମାସରେ ସରକାର ଏକ ଡ୍ରାଫ୍ଟ ତିଆରି କରିଥିଲେ । ରବି ଶଙ୍କର ପ୍ରସାଦ କହିଛନ୍ତି, ଭାରତରେ ହ୍ବାଟ୍ସଅପରେ ୫୩ କୋଟି, ଫେସବୁକର ୪୦ କୋଟି ଏବଂ ଟ୍ବିଟରର ୧ କୋଟି ୟୁଜର ରହିଛନ୍ତି । ତେଣୁ ଭାରତରେ ଏହି କମ୍ପାନୀ ମାନେ ମାତ୍ରାଧିକ ସୁବିଧା ଉଠାଉଛନ୍ତି ଏବଂ ଉପଯୋଗ କରୁଛନ୍ତି ମଧ୍ୟ । କିନ୍ତୁ ଏହା ଉପରେ ଆଇନ ଆଣିବା ଆବଶ୍ୟକ ରହିଥିବା କହିଛନ୍ତି ରବଶିଙ୍କର ।
ନୂଆ ଗାଇଡ଼ଲାଇନ୍ ଅନୁଯାୟୀ ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ଆଗାମୀ ସମୟରେ କଦାପି ବରଦାସ୍ତ କରାଯିବନି। ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମରେ ଏମିତି ଫଟୋ ଆସୁଛି, ଯାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସମସ୍ୟା ପାଇଁ ଫୋରମ୍ ରହିବା ଉଚିତ୍। ଏବେ ଘୃଣା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆ ବ୍ୟବହାର କରାଯାଉଛି ।
ଆତଙ୍କବାଦୀମାନେ ମଧ୍ୟ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆର ଭୁଲ ବ୍ୟବହାର ଅଭିଯୋଗ ଅନେକ ବର୍ଷ ଧରି ଆସୁଛି, ଏହା ହେଉଛି ମିଥ୍ୟା ଖବରର ଅବସ୍ଥା ଯାହା ଅନେକ ନ୍ୟୁଜ୍ ଚ୍ୟାନେଲକୁ ଫ୍ୟାକ୍ଟ ଚେକ୍ ଦ୍ୱାରା କରିବାକୁ ପଡିବ।