ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ଗୃହ
ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ଓ ନାରାବାଜୀ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗକୁ ଚାଲିଯାଇଥିଲେ । ଗୃହ ମଧ୍ୟଭାଗରେ ବିରୋଧୀ ଜୋରଦାର ହଙ୍ଗାମା କରିବରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି ।
ସେପଟେ , ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ଗାନ୍ଧୀ ପ୍ରତିମୂର୍ତି ତଳେ ଧାରଣା ଦେଇଛନ୍ତି । ସେହିପରି ରାଜରାସ୍ତାରୁ ରାଜଭବନ ପହଞ୍ଚିଛି ଦରଦାମ ବୃଦ୍ଧି ତାତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡି ଦେଇଛି ଧାରଣା । ଏଥିରେ ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ ସାମିଲ ହୋଇଛନ୍ତି । ପୂର୍ବରୁ ତିନି ଦିନ ଧରି କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି କାର୍ୟ୍ୟାଳୟ ସହ ବିଭିନ୍ନ ବ୍ଲକରେ ଆନ୍ଦୋଳନ କରିଥିଲା ଦଳ । ୩୦ ତାରିଖ ସୁଦ୍ଧା ଦରବୃଦ୍ଧି କମାଇବାକୁ କେନ୍ଦ୍ରକୁ ସତର୍କବାଣୀ ଶୁଣାଇଥିଲା ଦଳ । କେନ୍ଦ୍ର ସରକାର ଦରଦାମ କମାଇବା ନେଇ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକୁ ଜୋରଦାର କରିଛି ଦଳ ।
ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି । ଦରଦାମ ନକମିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦଳ ଚେତାବନୀ ଦେଇଛି ।